ବିଜେପି ପକ୍ଷରୁ କଳାହାଣ୍ଡି ବନ୍ଦ ପାଳନ

Spread the love

c9f91a1e-c059-4133-a893-7efdd4603737-750x430

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଚାଷୀଙ୍କ ଧାନ ଓ କପାର କଟ୍‌ନି ଛଟ୍‌ନି ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ କରାଯାଇଥିଲା। କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ସରକାର ମିଲର୍ସ ଓ ଦଲାଲମାନଙ୍କ ସହ ମିଶି ଚାଷୀଙ୍କୁ ଲୁଟ୍‌ କରୁଛନ୍ତି। ଚଳିତ ବର୍ଷ ଖରିଫ ଋତୁର ଧାନ ନଭେମ୍ବର ୧୫ ମଧ୍ୟରେ ଅମଳ ହୋଇଛି। କିନ୍ତୁ ମଣ୍ଡି ଡିସେମ୍ବର ମାସରେ ଆରମ୍ଭ ହୋଇଛି। ଟୋକନ ଗୁଡିକ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଦିଆଯାଇଥିବା କାରଣରୁ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କେନ୍ଦ୍ର ସରକାର ଚାଷୀର ଆୟକୁ ଦ୍ବିଗୁଣିତ କରିବା ପାଇଁ ଅନେକ ଲାଭକାରୀ ଯୋଜନା ମାଧ୍ୟମରେ ଓଡିଶା ସରକାରଙ୍କୁ ବହୁତ ପରିମାଣରେ ଆର୍ଥିକ ସହଯୋଗ ଯୋଗାଇ ଦେବା ସତ୍ତ୍ୱେ ଚାଷୀମାନଙ୍କୁ ଉପେକ୍ଷ କରି ଯୋଜନାଗୁଡିକୁ କାର୍ଯ୍ୟକ୍ଷମ କରୁ ନାହାନ୍ତି। ପ୍ରତ୍ୟେକ ମଣ୍ଡିରେ କ୍ବିଣ୍ଟାଲ ପିଛା ୭ କେଜିରୁ ୧୦ କେଜି ଧାନ କଟ୍‌ନି ଛଟ୍‌ନି ହେଉଛି। ଏହାର ପ୍ରତିବାଦରେ ଗୁରୁବାର ଜିଲ୍ଲା ବିଜେପି ଓ ଜିଲ୍ଲା କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ବ୍ୟାପି ବନ୍ଦ ପାଳନ କରାଯାଇଥିଲା।
ଜିଲ୍ଲା ବିଜେପି ସଭାପତି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ନେତୃତ୍ବରେ ଏହି ବନ୍ଦ ପାଳନ ହୋଇଥିଲା। ଭବାନୀପାଟଣା ସହରର କଲେଜ ଛକ, ନକଟିଗୁଡା ଛକ, ଘୋଡାଘାଟ ଛକ, ଦୟାନିଧି ଛକ, ମାଣିଙ୍ଗ ଛକ,ପାଷ୍ଟିକୁଡ଼ି ଛକ, ମେଦିନିପୁର ଛକ ସମେତ ବିଭିନ୍ନ ସ୍ଥାନରେ ରାସ୍ତାରୋକ ଅନୁଷ୍ଠିତ ହୋଇଥିଲା। ସମସ୍ତ ସ୍କୁଲ କଲେଜ, ସରକାରୀ, ବେସରକାରୀ ଅଫିସ୍‌, ବ୍ୟାଙ୍କ, ପୋଷ୍ଟ ଅଫିସ ଗୁଡିକ ବନ୍ଦ ରହିଥିଲା। ବିଜେପି କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କୃଷକ ମୋର୍ଚ୍ଚାର ଜିଲ୍ଲା ସଭାପତି କେଶରୀ ଦୁର୍ଗା, ପୂର୍ବ ଜିଲ୍ଲା ସଭାପତି ଭବେନ୍ଦ୍ର ପଣ୍ଡା, ଦେବେନ୍ଦ୍ର ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ଯୁଗଳ ପୋଢ, ଜୟ ଶଙ୍କର ନାଏକ, ପୂର୍ବ ଜିଲ୍ଲା ପରିଷଦ ସଭାପତି ଶରତ ଚନ୍ଦ୍ର ନାଏକ, ସୁନୀତି ମୁଣ୍ଡ ,ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ମୁକୁନ୍ଦ ଭୋଇ, ରାଜ ପ୍ରସାଦ ସାହୁ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟଦେବ ସାହୁ, ଜିଲ୍ଲା କୋଷାଧ୍ୟକ୍ଷ ପ୍ରମୋଦ ଜୈନ, ଯୁବ ମୋର୍ଚ୍ଚା କେନ୍ଦ୍ରୀୟ କାର୍ଯ୍ୟକାରୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ, ସ୍ୱଚ୍ଛ ଭାରତ ଜିଲ୍ଲା ସଂଯୋଜକ ଲୋକନାଥ ଦୁର୍ଗା, କୃଷକ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ସୁଧିର ମୁଣ୍ଡ, ରୋହିତ ଦୁର୍ଗା, ସଂଗ୍ରାମଜିତ ସିଂ, ଜନଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ କୈଶବ ବିହାରୀ, ନରହରି ପଟ୍ଟନାୟକ, ଗୋଦାବରୀଶ ପାତ୍ର, ବିଭୀଷଣ ସାହୁ, ଜିଲ୍ଲା ମିଡିଆ ସେଲ୍‌ର ପ୍ରେମନାଥ ନାଏକ ଓ ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *