ହଇଜାସ୍ଥିତି ସମୀକ୍ଷା କଲେ କେନ୍ଦ୍ରୀୟ ଟିମ୍‌; ସଂଗ୍ରହ ହେଲାଣି ୭ ହଜାର ପାଣି ନମୁନା

Spread the love

00

ରାଉରକେଲା: ଆଜି ଦ୍ବିତୀୟ ଦିନରେ ରାଉରକେଲାରେ ହଇଜା ସ୍ଥିତିର ସମୀକ୍ଷା କରିଛନ୍ତି ୫ ଜଣିଆ କେନ୍ଦ୍ରୀୟ ଟିମ୍‌। ନୂଆଦିଲ୍ଲିସ୍ଥ ଏନ୍‌ସିଡିସିର ଡା. ଇରମ ତବସୁମ୍‌, ସ୍ବାସ୍ଥ୍ୟ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡା. ଏନ.ଏମ. ସୋମାଲକର, ଏମ୍‌ସ(ଭୁବନେଶ୍ବର)ର ମେଡିସିନ ବିଭାଗର ପ୍ରଫେସର ଡା. ଆଲୋକ ଚକ୍ରବର୍ତ୍ତୀ, କୋଲକାତାସ୍ଥ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ କୋଲେରା ଆଣ୍ଡ୍‌ ଏଣ୍ଟେରିକ୍‌ ଡିଜିଜ୍‌ର କୋଲେରା ଫେଜ୍‌ ଲାବୋରେଟୋରୀର ଭାରପ୍ରାପ୍ତ ଅଧିକାରୀ ବୈଜ୍ଞାନିକ ଡା. ଆଲୋକ କୁମାର ଚକ୍ରବର୍ତ୍ତୀ ଓ ଏଆଇଆଇଏଚ୍‌ପିଏଚ୍‌ର ବିଶେଷଜ୍ଞ ଡା. ସୁମନ୍ତ ପାଲ ଆର୍‌ଜିଏଚ୍‌ରେ ସମୀକ୍ଷା କରିଥିଲେ। ସମୀକ୍ଷା ବୈଠକରେ ଆର୍‌ଜିଏଚ୍‌ର ନିର୍ଦ୍ଦେଶକ, ଉପ ଅଧୀକ୍ଷକଙ୍କ ସମେତ ହଇଜା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ଉପସ୍ଥିତ ଥିଲେ।
ସମୀକ୍ଷା ବୈଠକ ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିଲା। ଗତ ଡିସେମ୍ବର ୧୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଉରକେଲା ଓ ଏହାର ଆଖପାଖରୁ କେତେ ହଇଜା ରୋଗୀ ଆକ୍ରାନ୍ତ ହୋଇଛନ୍ତି ? ଆର୍‌ଜିଏଚ୍‌ ସମେତ ବିଭିନ୍ନ ଗରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଛନ୍ତି ? ହଇଜା ନିୟନ୍ତ୍ରଣ ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କି କି ପଦକ୍ଷେପ ନିଆଯାଇଛି ଆଦି ବିସ୍ତୃତ ଆଲୋଚନା ହୋଇଥିଲା। ପରେ ଦ୍ବିତୀୟ ବୈଠକ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। କମିସନର ତଥା ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍‌ ସ୍ଥିତି ଅନୁଧ୍ୟାନ କରିବା ସହ କିଛି ପ୍ରସ୍ତାବ ଦେଇଥିଲେ। ଆସନ୍ତାକାଲି (ବୁଧବାର) ବିଭିନ୍ନ ଅଞ୍ଚଳ ପରିଦର୍ଶନରେ ଯିବେ। ବିଭିନ୍ନ ବସ୍ତି ଓ କଲୋନିରେ ସିଧାସଳଖ ଲୋକଙ୍କ ସହ ଯୋଗାଣ ହେଉଥିବା ପାଣିର ଗୁଣବତ୍ତା ସମ୍ପର୍କରେ ଆଲୋଚନା କରିବା ସହ ତଥ୍ୟ ସଂଗ୍ରହ କରିବେ।
ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ମହାପାତ୍ର କହିଛନ୍ତି, ଆର୍‌ଏମ୍‌ଆର୍‌ସି, ଏସ୍‌ଇବି ଓ ଆର୍‌ଏମ୍‌ସି ଜଳସାଥୀ ପକ୍ଷରୁ ସଂଗୃହୀତ ବିସ୍ତୃତ ରିପୋର୍ଟ କେନ୍ଦ୍ରୀୟ ଟିମ୍‌କୁ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ସହରର ବିଭିନ୍ନ ଅଞ୍ଚଳରେ ୱାଟ୍‌କୋ ପକ୍ଷରୁ ୭ ହଜାର ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ୱାଟ୍‌କୋର ୨୫ ଟିମ୍‌ ମରାମତି କାମରେ ଲାଗିଛନ୍ତି। ଡ୍ରେନ୍‌ ଭିତରେ ଯାଇଥିବା ପାଇପ୍‌ ଲାଇନ୍‌ଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପ୍ରୟାସ ଜାରି ରହିଛି। ଆଜି ସଂଧ୍ୟା ସୁଦ୍ଧା ଆର୍‌ଜିଏଚ୍‌ରେ ୮ ଓ ବିଭିନ୍ନ ଘରୋଇ ହସ୍ପିଟାଲରେ ୧୦ , ଏମିତି ମୋଟ ୧୮ ଜଣ ହଇଜା ରୋଗୀ ଚିକିତ୍ସିତ ହେଉଛନ୍ତି। ଖାଦ୍ୟ ଓ ପାଣି ଦ୍ବାରା ହଇଜା ବ୍ୟାପିଲା ସ୍ପଷ୍ଟ ହୋଇ ନାହିଁ। ଆର୍‌ଏମ୍‌ଆର୍‌ସି ଓ ଏସ୍‌ଇବି ଟିମ୍‌ ପକ୍ଷରୁ ରିପୋର୍ଟ ଆସିବା ପରେ କେଉଁ କାରଣରୁ ହଇଜା ବ୍ୟାପିଲା ଜଣାପଡ଼ିବ ବୋଲି କହିଛନ୍ତି।
ଡିସେମ୍ବର ୧୧ ତାରିଖରେ ପ୍ରଥମଥର ପାଇଁ ୨୮ ଜଣ ସଂକ୍ରମିତ ଆର୍‌ଜିଏଚ୍‌ରେ ଭର୍ତ୍ତି ହୋଇଥିଲେ। ପରବର୍ତ୍ତୀ ସମୟରେ ସ୍ଥିତି ନିୟନ୍ତ୍ରଣ ବାହାରି ଚାଲିଯାଇଥିଲା। ଦୈନିକ ଶତାଧିକ ଲୋକ ସଂକ୍ରମିତ ହେବାସହ ଆର୍‌ଜିଏଚ୍‌ ଓ ଅନ୍ୟାନ୍ୟ ବେସରକାରୀ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଏମିତିକି ହଜାରେ ରୋଗୀ ମୃତ୍ୟୁବରଣ ମଧ୍ୟ କରିଥିଲେ। ପ୍ରଶାସନ ପକ୍ଷରୁ ୯ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିବାବେଳେ ବାସ୍ତବରେ ମୃତ୍ୟୁ ସଂଖ୍ୟା ୧୬କୁ ଛୁଇଁଥିବା ଜଣାପଡ଼ିଥିଲା। ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ହଜାରେ ହୋଇଥିଲା। ଦୂଷିତ ପାଣି ପାଇଁ ସଂକ୍ରମଣ ବ୍ୟାପିଥିବା ଆକଳନ କରାଯାଇଥିଲା। ସହରର ୫୦ରୁ ଅଧିକ ସ୍ଥାନରେ ଫାଟିଥିବା ପାଣି ପାଇପ୍‌ ମରାମତି କରାଯାଇଥିବାବେଳେ ଅଢ଼େଇ ହଜାର ସ୍ଥାନରୁ ପାଣି ନମୁନା ସଂଗୃହୀତ ହୋଇଥିଲା। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ବେଗ ପ୍ରକାଶ କରିବାସହ କେନ୍ଦ୍ରୀୟ ଦଳ ପଠାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦୃଷ୍ଟି ଆକର୍ଷଣ କରିଥିଲେ।

Leave a Reply

Your email address will not be published. Required fields are marked *