ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରକୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରକୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର। ୟୁଏପିଏ (ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ୧୯୬୭) ଅନୁଯାୟୀ ସରକାର ତାକୁ ଆତଙ୍କବାଦୀ ଘୋଷଣା କରିଥିବା ଜଣାପଡ଼ିଛି। ଗୃହ ମନ୍ତ୍ରାଳୟ ଦ୍ବାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ନିଷିଦ୍ଧ ଖାଲିସ୍ତାନୀ ସଂଗଠନ ବବ୍ବର ଖାଲସା ଇଣ୍ଟରନ୍ୟାସନାଲ ସହିତ ଗୋଲ୍ଡି ବ୍ରାର ଜଡିତ ଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଗୃହ ମନ୍ତ୍ରାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ, ସୀମା ବାହାରେ ଥିବା ଆତଙ୍କବାଦୀ ଏଜେନ୍ସି ଗୋଲ୍ଡି ବ୍ରାରକୁ ସମର୍ଥନ କରୁଥିବା ସହ ସେ ଅନେକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛି। ରାଷ୍ଟ୍ରବାଦୀ ନେତାମାନଙ୍କୁ ଧମକପୂର୍ଣ୍ଣ କଲ କରିବା, ଧମକ ଦେଇ ଟଙ୍କା ମାଗିବା ସହ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନେକ ହତ୍ୟାକାଣ୍ଡ ପାଇଁ ଗୋଲ୍ଡି ନିଜକୁ ଦାୟୀ କରିଛି। ସେ ସୀମାର ଆରପାର୍ଶ୍ୱରୁ ଡ୍ରୋନ୍ ମାଧ୍ୟମରେ ଆଧୁନିକ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ବିସ୍ଫୋରକ ସାମଗ୍ରୀ ଚୋରା କାରବାର କରି ବିଭିନ୍ନ ହତ୍ୟାକାଣ୍ଡରେ ବ୍ୟବହାର କରୁଛି। ଏସବୁ କାର୍ଯ୍ୟକଳାପକୁ ଦେଖି ଗୋଲ୍ଡିକୁ ଆତଙ୍କବାଦୀ ଘୋଷଣା କରାଯାଉଛି।
ଉଲ୍ଲେଖଯୋଗ୍ୟ, ୨୦୨୨ରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାକୁ ହତ୍ୟା କରି ଚର୍ଚ୍ଚାକୁ ଆସିଥିଲା ଗୋଲ୍ଡି। ସିଦ୍ଧୁଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଥିବା ଗୋଲ୍ଡି ଅନେକ ବଡ଼ ବଡ଼ ସେଲିବ୍ରିଟିଙ୍କୁ ହତ୍ୟା କରିବାକୁ ଧମକ ଦେଇସାରିଛି।