ଧାର୍ଯ୍ୟ ସମୟରେ ସରିବନି ଏକକାଳୀନ ୩ହଜାର ବ୍ୟକ୍ତିଙ୍କ ପାଇଁ ଧ୍ୟାନ ଯୋଗ କେନ୍ଦ୍ର

Spread the love

gdjgjdgjdgjdgjgjd-750x430

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ସର୍ବାଧିକ ବଜେଟ୍‌ରେ ନିର୍ମିତ ହେଉଛି ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର। ବୃହତ୍ତର ପାର୍କିଂ ସମସ୍ୟା ଦୂର କରିବାରେ ଏହି ପ୍ରକଳ୍ପ ସହାୟକ ହେବ। ତେବେ ଯୋଗ, ପ୍ରାଣାୟମ ଓ ଧ୍ୟାନର ବିଶାଳ କ୍ଷେତ୍ର ପାଲଟିବ ଏହି ଧ୍ୟାନଯୋଗ କେନ୍ଦ୍ର। ୫ ମହଲା ବିଶିଷ୍ଟ ତୀର୍ଥଯାତ୍ରୀ କେନ୍ଦ୍ରର ଶୀର୍ଷ ଭାଗରେ ଏହି ତୀର୍ଥଯାତ୍ରୀ କେନ୍ଦ୍ର ନିର୍ମିତ ହେଉଛି। ଏହା ମଧ୍ୟରେ ଏକକାଳୀନ ୩ ହଜାର ଲୋକେ ଯୋଗାସନ ଓ ଧ୍ୟାନ କରିବାର ବ୍ୟବସ୍ଥା କରାଯିବ ଯାହାକି ଏବେ ସୁଦ୍ଧା ଯୋଗ ପାଇଁ ଥିବା ଭିତ୍ତିଭୂମି ମଧ୍ୟରେ ସବୁଠୁ ବଡ଼ ବୋଲି କୁହାଯାଉଛି। ତୀର୍ଥ ଯାତ୍ରୀଙ୍କୁ କେବଳ ଏଠାରେ ବିଶ୍ରାମ ନେବାର ସୁଯୋଗ ମିଳିବ ନାହିଁ, ବରଂ ସେମାନଙ୍କ ଧ୍ୟାନ ଯୋଗ ପାଇଁ ଅବକାଶ ସୃଷ୍ଟି କରିବ।
ନିର୍ମାଣାଧୀନ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର ପାଇଁ ୨୩୦ କୋଟି ୬୨ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଅବଢ଼ା ଯୋଜନାରେ ଜଗନ୍ନାଥ ବଲ୍ଲଭର ବିକାଶ କାର୍ଯ୍ୟ କରାଯାଉଛି। ଏହା ମଧ୍ୟରେ ୩୭ଶହ ବର୍ଗଫୁଟ ପରିମିତ ଅଞ୍ଚଳରେ ଧ୍ୟାନ ଯୋଗ ହଲ୍‌ ନିର୍ମିତ ହେଉଛି। ଏହାବ୍ୟତୀତ ଜଗନ୍ନାଥ ବଲ୍ଲଭ ମଧ୍ୟରେ ନିର୍ମାଣାଧୀନ ୫ ମହଲା ବିଶିଷ୍ଟ ବହୁତଳ ବିଶିଷ୍ଟ ପାର୍କିଂରେ ଏକକାଳୀନ ୧୪୨୦ କାର୍‌ ଓ ୨ଶହ ଦୁଇ ଚକିଆ ଯାନ ପାର୍କିଂର ବ୍ୟବସ୍ଥା କରାଯାଉଛି।
ଶ୍ରୀସେତୁ ସହିତ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର ସଂଯୋଗ ହୋଇଛି। ଫଳରେ ଭକ୍ତମାନେ ଶ୍ରୀସେତୁରେ ଆସି ସିଧାସଳଖ ଏହି କେନ୍ଦ୍ରରେ କାର୍‌ କିମ୍ବା ବାଇକ୍‌ ପାର୍କିଂ କରି ଶ୍ରୀମନ୍ଦିରକୁ ଯାଇପାରିବେ। ଏହାବ୍ୟତୀତ ଭକ୍ତମାନଙ୍କ ପାଇଁ ସୁବିଧା କେନ୍ଦ୍ର ତଥା ବିଶ୍ରାମ ନେବାର ସୁବିଧା ରହିବ। ଏହା ମଧ୍ୟରେ ୧୮୪ଟି ଦୋକାନ ଗୃହ ରହିବ। ଏଥିସହିତ ପର୍ଯ୍ୟଟକମାନଙ୍କ ଲାଗି ଶୌଚାଳୟଠୁ ନେଇ ବିଶ୍ରାମ ନେବାକୁ ଆବଶ୍ୟକ ଭିତ୍ତିଭୂମି ଖଞ୍ଜାଯାଉଛି। ଡିସେମ୍ବର ସୁଦ୍ଧା ନିର୍ମାଣ କାର୍ଯ୍ୟ ସାରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ମାତ୍ର ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ କାମ ସରିବ ନାହିଁ ବୋଲି ଜଳଜଳ ବାରି ହୋଇ ପଡ଼ୁଛି। ଏଣେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ପାଇଁ ଦିନ ଧାର୍ଯ୍ୟ ହୋଇସାରିଥିବା ବେଳେ ଏହା ସହ ବହୁ ପ୍ରକଳ୍ପ ଉଦ୍‌ଘାଟିତ ହେବାର କାର୍ଯ୍ୟକ୍ରମ ରହିଛି। ମାତ୍ର ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର କାର୍ଯ୍ୟ ସରିନଥିବାରୁ ଏହାର ଲୋକାର୍ପଣ ଜାନୁଆରି ୧୭ରେ ହୋଇପାରିବ ନାହିଁ।

ଏନେଇ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ (ଓବିସିସି)ର ଭାରପ୍ରାପ୍ତ ଯନ୍ତ୍ରୀ ଇଂ ଶ୍ରୀଧର ରାଉତ କହିଛନ୍ତି, ଏହି ତୀର୍ଥ ଯାତ୍ରୀ କେନ୍ଦ୍ରରେ ଧ୍ୟାନ ଯୋଗ କେନ୍ଦ୍ର ରହିଛି। ଏହା ମଧ୍ୟରେ ୩ ହଜାର ଲୋକ ଏକକାଳୀନ ଯୋଗ ଓ ଧ୍ୟାନ କରିପାରିବେ। ଏହାବ୍ୟତୀତ ଯାତ୍ରୀଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ ହେବ। ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ରର ଷ୍ଟ୍ରକ୍‌ଚର କାର୍ଯ୍ୟ ୯୮ ପ୍ରତିଶତ ଶେଷ ହୋଇଛି। ସିଡ଼ି ଘର ଓ ଅନ୍ୟାନ୍ୟ ଅଳ୍ପ କିଛି ନିର୍ମାଣ କାର୍ଯ୍ୟ ବାକି ରହିଛି। ଯଥାଶୀଘ୍ର ଏହା ନିର୍ମାଣ କାର୍ଯ୍ୟ ସରିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *