ଉତ୍ତରକାଶୀ ଟନେଲ ଘଟଣା: ଉଦ୍ଧାର ହେଲେ ୪୧ ଶ୍ରମିକ

Spread the love

ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଦେଶବାସୀଙ୍କ ପ୍ରାର୍ଥନା ଶୁଣିଛନ୍ତି ଭଗବାନ୍ । ଭଗବାନ ଓ ବିଜ୍ଞାନର କରାମତିରେ ଜିତିପାରିଛି ଜୀବନ । ଶେଷରେ ଅନ୍ଧାର ଗମ୍ଭୀରା ଟନେଲ ଭିତରୁ ବାହାରିଛନ୍ତି ଶ୍ରମିକମାନେ । ଦୀର୍ଘ ୧୭ ଦିନର ପରିଶ୍ରମ ପରେ ଏବେ ଉଦ୍ଧାର ହୋଇଛନ୍ତି ଶ୍ରମିକ ।

ପର୍ଯ୍ୟାୟରେ ୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ତୁରନ୍ତ ସେମାନଙ୍କୁ ଡାକ୍ତରଖାନା ପଠାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ଆଉ ୪ ଜଣ ଓ ପରେ ଆଉ ୬ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କୁ ପର୍ଯ୍ୟାୟକ୍ରମେ ସୁଡ଼ଙ୍ଗରୁ ବାହାର କରାଯାଉଛି। ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ପ୍ରାୟ ୩୦ ମିନିଟ ସମୟ ଲାଗିବ।

ପ୍ରଥମ ଶ୍ରମିକ ବାହାରକୁ ଆସିବା ପରେ ତାଙ୍କୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂହ ସ୍ୱାଗତ କରିଥିଲେ। ଏହାପରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଶ୍ରମିକଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ପଠାଯାଇଛି। ବାହାରି ଥିବା ୧୦ ଶ୍ରମିକଙ୍କ ମଧ୍ୟରେ ୨ ଓଡ଼ିଆ ଶ୍ରମିକ ତପନ ମଣ୍ଡଳ ଓ ବିଶ୍ବେଶ୍ବର ନାୟକ ଅଛନ୍ତି ।

ମଙ୍ଗଳବାର ସଂଧ୍ୟା ୭ଟା ୫ ମିନିଟରେ ପାଇପ୍ ଶ୍ରମିକଙ୍କ ପାଖରେ ପହଞ୍ଚିଥିଲା । ଏହା ପରେ ଏନଡିଆରଏଫ ପକ୍ଷରୁ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଝାଡ଼ଖଣ୍ଡର ବାସିନ୍ଦା ବିଜୟ ହୋରୋଙ୍କୁ ପ୍ରଥମେ ଉଦ୍ଧାର କରାଯାଇଥିଲା। ଅନ୍ୟ ଜଣେ ଶ୍ରମିକ ଗଣପତି ହୋରୋଙ୍କୁ ମଧ୍ୟ ସୁଡ଼ଙ୍ଗରୁ ବାହାର କରାଯାଇଥିଲା। ଏହି ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଶାଲ ଦେଇ ସ୍ୱାଗତ କରିଥିଲେ। ବର୍ତ୍ତମାନ ସୁଦ୍ଧା ମୋଟ ୧୦ ଜଣ ଶ୍ରମିକଙ୍କୁ ସୁଡ଼ଙ୍ଗରୁ ବାହାର କରାଯାଇଛି।

Leave a Reply

Your email address will not be published. Required fields are marked *