ଡିସେମ୍ବର ୧ ରେ ତୁଳସୀ ଯାତ୍ରା, ସାରା ରାଜ୍ୟରୁ ସଂଗୃହୀତ ହେବ ତୁଳସୀ

Spread the love

image-24

ଭୁବନେଶ୍ବର: ଡିସେମ୍ବର ୧ ରେ କଂଗ୍ରେସ ପକ୍ଷରୁ ଆୟୋଜିତ ହେବ ତୁଳସୀ ଯାତ୍ରା । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଘୋଷଣା କରିଛନ୍ତି । ଭୁବନେଶ୍ବରରୁ ଶରଧାବାଲି ପର୍ଯ୍ୟନ୍ତ ହେବ ତୁଳସୀ ଯାତ୍ରା । ଶରଧାବାଲିରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ ହେବ ସଂଗୃହୀତ ତୁଳସୀ ।

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ନବୀନ ସରକାର ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ହୋଇ ଛିଡ଼ା ହେଉଛନ୍ତି । ପୁରୀ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାରର ଗଣତି, ମଣତି ଓ ମରାମତି ଏବଂ ବେଦାନ୍ତ ଅଧିକୃତ ଜଗନ୍ନାଥଙ୍କ ଅମୃତମଣୋହୀ ଜମି ଓ ଚାଷୀଙ୍କ ଜମିକୁ ଫେରସ୍ତ ସମେତ ଅନ୍ୟାନ୍ୟ ସମୁଦାୟ ୬ ଗୋଟି ଦାବିକୁ ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ଗତ ଅକ୍ଟୋବର ୧୬ ରେ ପୁରୀ ଠାରେ ବିଶାଳ ସମାବେଶ ଓ ବିକ୍ଷୋଭ ଶୋଭାଯାତ୍ର କରାଯାଇ ମାନନୀୟ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

ଅକ୍ଟୋବର ୨୯ ସୁଧା ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଯେହେତୁ ସରକାର ଏ ସମ୍ପର୍କରେ ପଦକ୍ଷେପ ନେଲେ ନାହିଁ ତେଣୁ ସେହି ୬ ଗୋଟି ଦାବିର ସମାଧାନ ନିମନ୍ତେ ସାରା ରାଜ୍ୟରେ ପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ ଗତ ନଭେମ୍ବର ୯ ତାରିଖରେ ସଂକୀର୍ତନ ସତ୍ୟାଗ୍ରହ କରାଯାଇଥିଲା । ଯେହେତୁ ପ୍ରଦେଶ କଂଗ୍ରେସ ପକ୍ଷରୁ ନିଷ୍ପତି ନିଆଯାଇଥିଲା ଯେ ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ, ସେହି କ୍ରମରେ ଆସନ୍ତା ଡିସେମ୍ବର ୧ ତାରିଖ ଦିନ ତୁଳସୀ ଯାତ୍ରା କରାଯିବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି ।

ରାଜ୍ୟର ସମସ୍ତ ବ୍ଲକ ଓ ନଗରର ସାଧାରଣ ଜନତା, ଜଗନ୍ନାଥ ପ୍ରେମୀ, ଭକ୍ତ, ଶ୍ରଦ୍ଧାଳୁ, ଯୁବକ ଯୁବତୀ, ଛାତ୍ର ଛାତ୍ରୀ, ହବିଷ୍ୟାଳି, ଭକ୍ତ, ମଉସା ମାଉସୀ, ଭାଇ ଭଉଣୀଙ୍କ ଠାରୁ ତୁଳସୀ ସଂଗ୍ରହ କରାଯିବ । ଜିଲ୍ଲା କଂଗ୍ରେସ ସଭାପତିଙ୍କ ତତ୍ୱାବଧାନରେ ନଗର/ବ୍ଲକ ସଭାପତିମାନେ ବୁଥ୍, ୱାର୍ଡ ଓ ପଂଚାୟତ ସଭାପତିଙ୍କ ଜରିଆରେ ତୁଳସୀ ସଂଗ୍ରହ କରିବେ । ପ୍ରତି ବ୍ଲକ ଓ ନଗର କଂଗ୍ରେସ କମିଟି ପକ୍ଷରୁ ଗୋଟିଏ ଲେଖାଏଁ ଗାଡ଼ିରେ ସଂଗୃହୀତ ତୁଳସୀକୁ ଡିସେମ୍ବର ୧ ତାରିଖ ସୁଦ୍ଧା ଭୁବନେଶ୍ୱର ସ୍ଥିତ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟକୁ ଆଣିବେ ।

ଡିସେମ୍ବର ୧ ତାରିଖ ଦିନ ସାରା ରାଜ୍ୟରୁ ସଂଗୃହିତ ତୁଳସୀ ଏବଂ ସଜ ତୁଳସୀ ଧରି ଶ୍ରୀକ୍ଷେତ୍ର ଅଭିମୁଖେ ତୁଳସୀ ଯାତ୍ରା କରାଯିବ । ଉକ୍ତ ୧ ତାରିଖ ଦିନ ଶ୍ରୀକ୍ଷେତ୍ରର ଶରଧାବାଲି ଠାରେ ଜଗନ୍ନାଥ ପ୍ରେମୀ ଭକ୍ତ, କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଏକତ୍ରିତ ହେବେ ଏବଂ ଶୋଭାଯାତ୍ରାରେ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ତୁଳସୀ ଅର୍ପଣ କରିବେ । ଯଦି ଏହି ଆନ୍ଦୋଳନ ପରେ ସରକାର ଏହି ୬ ଗୋଟି ଦାବିର ସମାଧାନ ପଦକ୍ଷେପ ଗ୍ରହଣ ନକରିବେ ତେବେ ଆନ୍ଦୋଳନର ପରବର୍ତ୍ତୀ କାର୍ଯ୍ୟକ୍ରମ ଘୋଷଣା କରାଯିବ । ଓଡ଼ିଶା, ଭାରତ ଏବଂ ବିଶ୍ୱର ଜନତା ଜଗନ୍ନାଥଙ୍କ ପାଖକୁ ନିଜର ଗୁହାରୀ ଶୁଣାଇବାକୁ ଆସୁଛନ୍ତି । ମାତ୍ର ନବୀନ ସରକାର ଏଥିରେ ପ୍ରତିବନ୍ଧକ ସାଜୁଛନ୍ତି ।

୪ ଧାମରୁ ଜଗନ୍ନାଥ ମନ୍ଦିର ଏକ ଧାମ । ଜଗନ୍ନାଥଙ୍କ ଭକ୍ତମାନେ ଜଗନ୍ନାଥଙ୍କୁ ନିଜର ଦୁଃଖ ଜଣାନ୍ତି ମାତ୍ର ସ୍ୱେଚ୍ଛାଚାରୀ ନବୀନ ସରକାର ନିଜ ଅହଂକାରରେ ଅଟଳ ଅଛନ୍ତି । କଂଗ୍ରେସ ଦଳ ଏହାକୁ ବରଦାସ୍ତ କରିବ ନାହିଁ ଆନ୍ଦୋଳନ ଜାରି ରହିବ ।

ଏହି ସମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ଜୟ ନାରାୟଣ ପଟ୍ଟନାୟକ, ପର୍ଯ୍ୟବେକ୍ଷକ ଶିବାନନ୍ଦ ରାୟ, ସୁଜିତ୍ ମହାପାତ୍ର, ବିନାୟକ ଦାସ ମହାପାତ୍ର, ଅମରେନ୍ଦ୍ର ପାଇକରାୟ, ନିରଞ୍ଜନ ରଥ, ସୁକାନ୍ତ ପ୍ରଧାନ, ସୌମ୍ୟ ଖୁଣ୍ଟିଆ ଜିଲ୍ଲା ମୁଖପାତ୍ର ସ୍ଵାଧୀନ କୁମାର ପଣ୍ଡା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *