‘ଡିପ୍‌ଫେକ୍‌’ ମୁକାବିଲା ପାଇଁ ଖୁବ୍‌ ଶୀଘ୍ର ଆସିବ ନିୟମାବଳି

Spread the love

aswini

ନୂଆଦିଲ୍ଲୀ: ‘ଡିପ୍‌ଫେକ୍‌’ଜନିତ ସମସ୍ୟାର ମୁକାବିଲା କରିବା ଲାଗି ଖୁବ୍‌ ଶୀଘ୍ର ପ୍ରଚଳିତ ଆଇନକୁ ସଂଶୋଧନ କରାଯିବ କିଂବା ନୂଆ ଆଇନ କରାଯିବ ବୋଲି ଆଜି କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି।
ସେ କହିଛନ୍ତି, ‘ଡିପ୍‌ଫେକ୍‌’ ଭିଡିଓର ସ୍ରଷ୍ଟା ବା ନିର୍ମାଣକାରୀ ଏବଂ ସେଗୁଡ଼ିକୁ ପ୍ରସାରଣ କରୁଥିବା ‘ପ୍ଲାଟ୍‌ଫର୍ମ’ ପାଇଁ ବିହିତ ଦଣ୍ଡ ବିଧାନ ମଧ୍ୟ କରାଯିବ।
ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମ, ‘ନାସ୍‌କମ୍‌’ ଓ ‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ୍‌’ କ୍ଷେତ୍ରର ଅନ୍ୟାନ୍ୟ ପ୍ରଫେସର୍‌ମାନଙ୍କ ସହିତ ବୈଠକ କରିବା ପରେ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗଣତନ୍ତ୍ର ପାଇଁ ‘ଡିପ୍‌ଫେକ୍‌’ ନୂଆ ବିପଦ ଭାବେ ଉଭା ହୋଇଛି। ଏହା ସମାଜ ଓ ତା’ର ପ୍ରତିଷ୍ଠାନ ପ୍ରତି ଥିବା ବିଶ୍ବାସକୁ ଦୁର୍ବଳ କରି ଦେବ।
ଏଥିପାଇଁ ୧୦ ଦିନ ମଧ୍ୟରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନମୂଳକ ପନ୍ଥା ବାହାର କରିବେ। ‘ଡିପ୍‌ଫେକ୍‌’ ଚିହ୍ନଟ, ତାହାର ପ୍ରସାରଣ ରୋକିବା, ରିପୋର୍ଟିଙ୍ଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଏ ସଂକ୍ରାନ୍ତରେ ଜନସଚେତନତା ପ୍ରସାର କରିବା ଆଦି ଏହି କାର୍ଯ୍ୟାନୁଷ୍ଠାନମୂଳକ ଉପାୟରେ ଅନ୍ତର୍ଭୁକ୍ତ କରାଯାଇଛି।

ସେ କହିଛନ୍ତି, ଏହି ବୈଠକରେ ୪ଟି ମୁଖ୍ୟ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ତାହା ହେଉଛି, କେମିତି ‘ଡିପ୍‌ଫେକ୍‌’କୁ ଚିହ୍ନଟ କରାଯାଇ ପାରିବ। ‘ଡିପ୍‌ଫେକ୍‌’କୁ ପୋଷ୍ଟିଙ୍ଗ୍‌ କରିବାରୁ କେମତି ଲୋକମାନଙ୍କୁ ବାଧା ଦିଆଯିବ। କେମିତି ‘ଡିପ୍‌ଫେକ୍‌’ କଣ୍ଟେଣ୍ଟ୍‌କୁ ଭାଇରାଲ୍‌ ହେବାରୁ ନିବୃତ କରାଯିବ। ‘ଡିପ୍‌ଫେକ୍‌’ ସମ୍ପର୍କରେ ବ୍ୟବହାରକାରୀମାନଙ୍କୁ ସଚେତନ କରାଇବାକୁ କିଭଳି ବ୍ୟବସ୍ଥା କରାଯାଇପାରିବ।

Leave a Reply

Your email address will not be published. Required fields are marked *