୫୦,୦୦୦ ଲୋକଙ୍କ ପାଇଁ ୪ ପାଇଖାନା, ୪ ଘଣ୍ଟା ଦିଆଯାଉଛି ପାଣି

Spread the love

sfssfsfsfsf-750x430

ନୂଆଦିଲ୍ଲୀ: ଗାଜା ଷ୍ଟ୍ରିପ୍‌ରେ ରହିଯାଇଥିବା ପାଲେଷ୍ଟାଇନ ଡାକ୍ତର ଓ ନର୍ସମାନେ ହେଉଛନ୍ତି ହିରୋ ଯେଉଁମାନେ ଜାଣନ୍ତି ଯେ ସେମାନେ ମରିବାକୁ ଯାଉଛନ୍ତି କିନ୍ତୁ ଯେକୌଣସି ପ୍ରକାରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଯୁଦ୍ଧର ଗ୍ରାଉଣ୍ଡ ଜିରୋରୁ ଉଦ୍ଧାର ହୋଇଥିବା ଜଣେ ଆମେରିକୀୟ ନର୍ସ ଏହା କହିଛନ୍ତି। ଡକ୍ଟର୍ସ ୱିଦାଉଟ୍ ବର୍ଡର୍ସ ସହିତ କାମ କରୁଥିବା ନର୍ସ ଏମିଲି କାଲାହାନ ଗଣମାଧ୍ୟମକୁ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ, ବର୍ତ୍ତମାନ ଗାଜାରେ କୌଣସି ସୁରକ୍ଷିତ ସ୍ଥାନ ନାହିଁ। ଗତ ବୁଧବାର ଗାଜାରୁ ଉଦ୍ଧାର ହେବା ପରେ କାଲାହାନ ଆମେରିକା ଫେରିଯାଇଛନ୍ତି। ଫେରିବା ପରେ କିପରି ଅନୁଭବ କରୁଛନ୍ତି ବୋଲି ପଚରାଯିବାରୁ ଗତ ୨୬ ଦିନ ମଧ୍ୟରେ ପ୍ରଥମ ଥର ପାଇଁ ସେ ନିଜକୁ ସୁରକ୍ଷିତ ମଣୁଛନ୍ତି ବୋଲି କହିଥିଲେ। କିନ୍ତୁ ସେ ବହୁ ଲୋକଙ୍କୁ ବିପଦରେ ଛାଡ଼ି ଆସିଥିବାରୁ ବହୁତ କଷ୍ଟ ଅନୁଭବ କରୁଛନ୍ତି ବୋଲି କହିଥିଲେ।
ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ୨୬ ଦିନ ମଧ୍ୟରେ ପ୍ରାୟ ୫ ଥର ସ୍ଥାନାନ୍ତରିତ ହେବାକୁ ପଡିଥିଲା ବୋଲି କାଲାହାନ କହିଛନ୍ତି। ସେ କହିଛନ୍ତି, ଗୋଟିଏ ଦିନ ସେ ଯାଇ କମ୍ୟୁନିଷ୍ଟ ଟ୍ରେନିଂ ସେଣ୍ଟରରେ ରହିଥିଲେ। ସେଠାରେ ୩୫,୦୦୦ ଆଭ୍ୟନ୍ତରୀଣ ବିସ୍ଥାପିତ ଥିଲେ। ସେଠାରେ ଅନେକ ପିଲା ଥିଲେ, ଯେଉଁମାନଙ୍କର ମୁହଁ, ବେକ ଓ ଅଙ୍ଗପ୍ରତ୍ୟଙ୍ଗରେ ପୋଡ଼ା ଦାଗ ଥିଲା। ଡାକ୍ତରଖାନାଗୁଡ଼ିକରେ ଜାଗା ନ ଥିବାରୁ ସେମାନଙ୍କୁ ତୁରନ୍ତ ଡିସଚାର୍ଜ କରିଦିଆଯାଇଥିଲା।
ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ଦ୍ୱାରା ବିସ୍ଥାପିତ ହୋଇଥିବା ଲୋକଙ୍କୁ ଆଶ୍ରୟ ଦେବା ପାଇଁ ଥିବା ରିଲିଫ୍ ଶିବିରଗୁଡିକର ଅବସ୍ଥା ବର୍ଣ୍ଣନା କରି କାଲାହାନ୍ କହିଛନ୍ତି ଯେ ୫୦,୦୦୦ରୁ ଅଧିକ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଏକ ଶିବିରରେ ଚାରୋଟି ଶୌଚାଳୟ ଅଛି ଯେଉଁଗୁଡ଼ିକୁ ଦିନକୁ ଚାରି ଘଣ୍ଟା ପାଇଁ ଜଳ ଯୋଗାଣ ହୋଇଥାଏ। ପୋଡ଼ାଜଳାଗ୍ରସ୍ତ ଓ କ୍ଷତାକ୍ତ ରୋଗୀମାନେ ଏହିପରି ଶିବିରରେ ଅଣନିଃଶ୍ବାସୀ ହୋଇ ରହୁଛନ୍ତି।
ନର୍ସ କହିଛନ୍ତି ଯେ, ଆମେରିକୀୟ ବୋଲି ତାଙ୍କୁ ହଇରାଣ କରାଯିବାରୁ ଗୋଟିଏ ଶିବିର ତାଙ୍କୁ ଛାଡିବାକୁ ପଡିଥିଲା। ନିଜର ପ୍ରିୟଜନଙ୍କୁ ହରାଇଥିବା ହତାଶ ବ୍ୟକ୍ତିମାନେ ଇସ୍ରାଏଲ ଓ ଆମେରିକା ଉପରେ ନିଜର କ୍ରୋଧ ପ୍ରକାଶ କରିବା ସ୍ବାଭାବିକ। ଯଦି ସ୍ଥାନୀୟ କର୍ମଚାରୀ ସେମାନଙ୍କୁ ସୁରକ୍ଷା ଦେଇ ନ ଥାନ୍ତେ ତେବେ ଏକ ସପ୍ତାହ ମଧ୍ୟରେ ସେମାନେ ମରିଥାନ୍ତେ ବୋଲି ନର୍ସ କହିଛନ୍ତି। ସେ କହିଛନ୍ତି, ଆମ ଚାରିପାଖରେ ବୋମା ବର୍ଷଣ ଚାଲିଥିଲା ଏବଂ ସବୁଠି ଭୟାନକ ବିପର୍ଯ୍ୟୟ ହିଁ ଦେଖିବାକୁ ମିଳୁଥିଲା। ସୂଚନାଯୋଗ୍ୟ, ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସର ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୧୪୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା। ଜାତିସଂଘର ଆକଳନ ଅନୁଯାୟୀ ଇସ୍ରାଏଲର ପ୍ରତିଆକ୍ରମଣରେ ଗାଜାରେ ଏପର୍ଯ୍ୟନ୍ତ ୧୦,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

Leave a Reply

Your email address will not be published. Required fields are marked *