କେଦାରନାଥରେ ସାଂସଦ ବରୁଣ ଗାନ୍ଧୀଙ୍କୁ ଭେଟିଲେ ରାହୁଲ୍‌ ଗାନ୍ଧୀ

Spread the love

raj

ନୂଆଦିଲ୍ଲୀ: ମଙ୍ଗଳବାର ଦିନ କେଦାରନାଥ ମନ୍ଦିରରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଓ ତାଙ୍କ ଦାଦାପୁଅ ଭାଇ ତଥା ‘ବ‌ିଜେପି’ ସାଂସଦ ବରୁଣ ଗାନ୍ଧୀଙ୍କ ମଧ୍ୟରେ ସ୍ବଳ୍ପ ସମୟ ପାଇଁ କଥାବାର୍ତ୍ତା ହୋଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

ଦୁହେଁ ପ୍ରାର୍ଥନା କରିବା ଲାଗି କେଦାରନାଥ ମନ୍ଦିରକୁ ଯାଇଥିଲେ। ସର୍ବସାଧାରଣରେ ଏହି ଦାଦାପୁଅ ବଡ଼ ବାପାପୁଅଙ୍କୁ ପ୍ରାୟ ଏକାଠି ଦେଖିବାକୁ ମିଳୁ ନ ଥିବାରୁ କେଦାରନାଥରେ ଦୁହିଁଙ୍କ ସାକ୍ଷାତକୁ ନେଇ ବରୁଣ ଗାନ୍ଧୀଙ୍କ ରାଜନୈତିକ ଭବିଷ୍ୟତକୁ ଉପରେ କେତେକ କଳ୍ପନାଜଳ୍ପନା ଆରମ୍ଭ କରିଛନ୍ତି।

ସମ୍ପ୍ରତି ‘ବିଜେପି’ର ଗୁରୁତ୍ବପୂର୍ଣ୍ଣ ବୈଠକଗୁଡ଼ିକରେ ସଞ୍ଜୟ ଓ ମେନକା ଗାନ୍ଧୀଙ୍କ ପୁଅ ତଥା ଉତ୍ତର ପ୍ରଦେଶ ଅନ୍ତର୍ଗତ ପିଲଭିତ ନିର୍ବାଚନ ମଣ୍ଡଳୀର ସାଂସଦ ବରୁଣ ଉପସ୍ଥିତ ରହୁ ନାହାନ୍ତି। ସେହିପରି, କୃଷି ଆଇନ ସମେତ ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ତାଙ୍କର ବିବୃତି ବେଳେ ବେଳେ ଦଳର ଆଦର୍ଶକୁ ବିରୋଧ କରୁଛି।

ବିଶେଷସୂତ୍ରରୁ ତଥ୍ୟ ସଂଗ୍ରହ କରି ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି ଯେ, ସ୍ବଳ୍ପ ସମୟ ପାଇଁ ମନ୍ଦିର ବାହାରେ ଦୁହିଁଙ୍କର ଭେଟ ‌ହୋଇଥିଲା। ସେମାନେ ପରସ୍ପରର ଭଲମନ୍ଦ ପଚାରି ବୁଝିଥିଲେ। ଭେଟ ଖୁବ୍‌ ସ୍ବଳ୍ପ ହୋଇଥିଲେ ବି ନିବିଡ଼ ଥିଲା ବୋଲି ସେମାନେ କହିଛନ୍ତି।

ବରୁଣଙ୍କ ଝିଅ ଅନୁସୂୟାକୁ ଦେଖି ରାହୁଲ୍‌ ଖୁବ୍‌ ଖୁସି ହୋଇଥିଲେ। ସାଧାରଣରେ ଭେଟାଭେଟି ହେଉ ନ ଥିଲେ ବି ଦୁଇ ଭାଇଙ୍କ ମଧ୍ୟରେ ସୁସମ୍ପର୍କ ରହିଛି। କେଦାରନାଥରେ ସେମାନେ କ‌ୌଣସି ରାଜନୈତିକ ପ୍ରସଙ୍ଗ ଆଲୋଚନା କରି ନ ଥିଲେ।

ସୂଚନାଯୋଗ୍ୟ, ବରୁଣ ଗାନ୍ଧୀଙ୍କୁ କଂଗ୍ରେସରେ ସାମିଲ କରାଯିବ କି, ବୋଲି ଗତବର୍ଷ ଏକ ସାମ୍ବାଦିକ ସମ୍ମିଳନୀରେ ପଚରାଯିବାରୁ ରାହୁଲ୍‌ ଗାନ୍ଧୀ କହିଲେ, କଂଗ୍ରେସକୁ ସମସ୍ତଙ୍କୁ ସ୍ବାଗତ କରାଯାଏ। କିନ୍ତୁ, ବରୁଣ କଂଗ୍ରେସ ଲଢ଼େଇ କରୁଥିବା ‘ବିଜେପି/ଆର୍‌ଏସ୍‌ଏସ୍‌’ର ଆଦର୍ଶବାଦକୁ ଗ୍ରହଣ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୩ ଦିନ ହେବ ରାହୁଲ୍‌ ଗାନ୍ଧୀ କେଦାରନାଥରେ ଥିବା ବେଳେ ମଙ୍ଗଳବାର ଦିନ ସପରିବାର ବରୁଣ ଗାନ୍ଧୀ କେଦାରନାଥର ଶିବ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ।

Leave a Reply

Your email address will not be published. Required fields are marked *