ଲାଞ୍ଚ ନେଉଥିବା ବେଳେ ଏଜି ଅଫିସର ଅଡିଟର ସିବିଆଇ ଦ୍ୱାରା ଗିରଫ

Spread the love

 

cbi

ଭୁବନେଶ୍ୱର: ମେଡିକାଲ୍ ବିଲ୍ ପାସ୍ କରିବା ପାଇଁ ୬ ହଜାର ୫୦୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭୁବନେଶ୍ୱର ଆକାଉଣ୍ଟାଣ୍ଟ ଜେନେରାଲ୍ (ଏଜି) କାର୍ଯ୍ୟାଳୟର ଅଡିଟରଙ୍କୁ ସିବିଆଇ ଗିରଫ କରିଛି। ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ସମ୍ମୁଖରୁ ଅଭିଯୁକ୍ତ ସନ୍ତୋଷ କୁମାର ପାଣିଗ୍ରାହୀଙ୍କୁ ଗିରଫ କରାଯାଇଥିବା ସିବିଆଇ ସୂଚନା ଦେଇଛି।

ମେଡିକାଲ୍ ବିଲ୍ ପାସ୍ କରିବା ବଦଳରେ ଗିରଫ ଅଭିଯୁକ୍ତ ଜଣେ ଅଭିଯୋଗକାରୀଙ୍କୁ ଲାଞ୍ଚ ମାଗିଥିଲେ ବୋଲି ସିବିଆଇ ପକ୍ଷରୁ ସୂଚନା ମିଳିଛି।

ତେବେ ସନ୍ତୋଷ କୁମାର ପାଣିଗ୍ରାହୀ ବିଲ୍ ପ୍ରୋସେସିଂରେ ବିଳମ୍ବ କରିବା ସହ ଏହାକୁ ପାସ୍ କରିବା ପାଇଁ ୬ ହଜାର ୫ ଶହ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗକାରୀ ସିବିଆଇ ନିକଟରେ ଅଭିଯୋଗ କରିବାରୁ ସିବିଆଇ ସନ୍ତୋଷ କୁମାର ପାଣିଗ୍ରାହୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା।

ଭୁବନେଶ୍ୱର ଆରଟିଓ ଅଫିସରେ ଅଭିଯୋଗକାରୀ ସନ୍ତୋଷ କୁମାର ପାଣିଗ୍ରାହୀଙ୍କୁ ଭେଟି ଲାଞ୍ଚ ପ୍ରଦାନ କରିଥିଲେ। ଆଉ ଯୋଜନା ମୁତାବକ ଲାଞ୍ଚ ନେବା ମାତ୍ରେ ସିବିଆଇ ଟିମ୍ ତାଙ୍କୁ କାବୁ କରିନେଇଥିଲା। ଏବେ ସିବିଆଇ ସନ୍ତୋଷ କୁମାର ପାଣିଗ୍ରାହୀଙ୍କୁ କୋର୍ଟ ଚାଲାଣ କରିବା ସହ ରିମାଣ୍ଡରେ ନେବାକୁ ଆବେଦନ କରିବ ବୋଲି ସୂଚନା ରହିଛି। ଏହି ଲାଞ୍ଚ କାରବାରରେ ଅନ୍ୟ କୌଣସି ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ଅଛି କି ନାହିଁ ସେ ନେଇ ସିବିଆଇ ତଦନ୍ତ କରୁଛି।

 

Leave a Reply

Your email address will not be published. Required fields are marked *