ଗୋଟିଏ ‘ମୋ ବସ୍‌’ରୁ ୪ ମୋବାଇଲ ଚୋରି

Spread the love

Mo_Bus_1695898244

ଭୁବନେଶ୍ବର :ରାଜଧାନୀ ଭୁବନେଶ୍ୱରରେ ଆଜି ଗୋଟିଏ ମୋ ବସ୍‌ରୁ ୪ଟି ମୋବାଇଲ ଫୋନ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବସ୍‌ଟି ବରମୁଣ୍ଡାରୁ ଟଙ୍କପାଣି ସାଇ ମନ୍ଦିର ଯାଉଥିଲା। ସିଆରପି ଛକ ନିକଟରେ ମୋବାଇଲ ଗୁଡ଼ିକ ଚୋରି ହୋଇଥିବା ଅଭିଯୋଗ ହୋଇଛି।
ମୋବାଇଲ ଫୋନ୍‌ ଚୋରି ହୋଇଥିବା ଅଭିଯୋଗ ହେବା ପରେ ମୋ ବସ୍‌ଟି ଅଟକି ଥିଲା। କୌଣସି ଯାତ୍ରୀଙ୍କୁ ବସ୍‌ରୁ ବାହାରିବାକୁ ଦିଆଯାଇ ନଥିଲା। ପୁଲିସ୍ ପହଞ୍ଚିବା ପରେ ସମସ୍ତ ଯାତ୍ରୀଙ୍କୁ ଯାଞ୍ଚ କରାଯାଇଥିଲା। ତେବେ ମୋବାଇଲ ଫୋନ୍‌ ମିଳି ନଥିଲା।
କୁହାଯାଉଛି, ଯାତ୍ରୀମାନେ ବସ୍‌ରେ ଚଢ଼ିବା ବେଳେ ଭିଡ଼ର ସୁଯୋଗ ନେଇ ଚୋରମାନେ ମୋବାଇଲ ଫୋନ୍‌ ଲୁଟି ନେଇଛନ୍ତି। ଜଣେ ଯାତ୍ରୀ କହିଛନ୍ତି ଯେ ବସ୍‌ରେ ଚଢ଼ିଲା ବେଳକୁ ତାଙ୍କ ପ୍ୟାଣ୍ଟର ଆଗ ପକେଟରେ ମୋବାଇଲ ଥିଲା। କିନ୍ତୁ ବସ୍‌ରେ ଚଢ଼ିବା ପରେ ତାଙ୍କ ପକେଟ୍‌ରୁ ମୋବାଇଲ ଫୋନ୍ ଗାଏବ ହୋଇଯାଇଥିବା ସେ ଜାଣିବାକୁ ପାଇଲେ। କେତେବେଳେ ତାଙ୍କ ମୋବାଇଲ ଚୋରି ହେଲା, ସେ ଜାଣି ପାରିଲେ ନାହିଁ ବୋଲି କହିଛନ୍ତି।
ସେହିପରି ଅନ୍ୟ ଜଣେ ଯାତ୍ରୀ (ମହିଳା) କହିଛନ୍ତି ଯେ ସେ ଫାୟାର ଷ୍ଟେସନ ଛକରୁ ଏହି ବସ୍‌ରେ ଚଢ଼ିଥିଲେ। ବସ୍‌ରେ ଚଢ଼ିବା ପୂର୍ବରୁ ସେ ତାଙ୍କର ଜଣେ ସାଙ୍ଗଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ। ତେବେ ବସ୍‌ରେ ଚଢ଼ିବା ପରେ ତାଙ୍କ ମୋବାଇଲ୍ ଫୋନ୍ ଚୋରି ହୋଇଯାଇଥିବା ଜାଣିବାକୁ ପାଇଲେ। ଫୋନ୍‌ଟି ତାଙ୍କ ଭ୍ୟାନିଟିରେ ଥିଲା।
ମୋ ବସ୍‌ରେ ଅଧିକ ଭିଡ଼ ହେଉଥିବାରୁ ବାରମ୍ବାର ଏଭଳି ଚୋରି ହେଉଥିବା ଅଭିଯୋଗ ହେଉଛି। ଆଜି ଯେଉଁ ମୋ ବସ୍‌ରୁ ଚୋରି ହୋଇଛି, ତା’ର କଣ୍ଡକ୍ଟର କହିଛନ୍ତି ଯେ ଲୋକଙ୍କୁ ମନା କଲେ ମଧ୍ୟ ସେମାନେ ମାନୁ ନାହାନ୍ତି ଓ ଭିଡ଼ ଥିଲେ ବି ବସ୍‌ରେ ଚଢ଼ୁଛନ୍ତି।
ଗତ ବର୍ଷ ଡିସେମ୍ବର ମାସରେ କମିଶନରେଟ୍ ପୁଲିସ ଏକ ୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିଥିଲା। ସେମାନେ କୃତ୍ରିମ ଭିଡ଼ ସୃଷ୍ଟି କରି ମୋ ବସ୍‌ ରୁ ଲୁଟ୍ କରୁଥିଲେ।

Leave a Reply

Your email address will not be published. Required fields are marked *