୧୮୧ ମୋବାଇଲ ପ୍ରାଣୀ ଚିକିତ୍ସା ୟୁନିଟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ୱର: ଘର ମୁହଁରେ ପହଞ୍ଚିବ ପ୍ରାଣୀ ଚିକିତ୍ସା । ଭ୍ରାମ୍ୟମାଣ ଗାଡ଼ିରେ ଗୃହପାଳିତ ପଶୁଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୮୧ଟି ଭେଟେରିନାରି ମୋବାଇଲ ୟୁନିଟ୍‌ ଗାଡ଼ିର ଶୁଭାରମ୍ଭ କରିଛନ୍ତି। ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଯେଉଁଠି ଗାଁଠାରୁ ପଶୁ ଡାକ୍ତରଖାନା ଦୂରରେ ରହିଛି ବିଶେଷ କରି ସେହି ସ୍ଥାନରେ ଏହି ଭ୍ରାମ୍ୟମାଣ ଚିକିତ୍ସା ଯୋଗାଇ ଦିଆଯିବ। ୧୮୧ଟି ଭ୍ରାମ୍ୟମାଣ ପଶୁ ଚିକିତ୍ସା ୟୁନିଟ ପାଇଁ ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଖର୍ଚ୍ଚ ହୋଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରାଣୀ ଚିକିତ୍ସା ଅନୁଷ୍ଠାନରୁ ଦୂରରେ ରହିଥିବା ଗାଁର ଚାଷୀଙ୍କୁ ଦ୍ବାର ମୁହଁରେ ପ୍ରାଣୀ ଚିକିତ୍ସା ସେବା ପହଞ୍ଚାଇବ । ରାଜ୍ୟ ସରକାର ପଶୁପାଳନ କରୁଥିବା ଚାଷୀଙ୍କ ରୋଜଗାର ବଢାଇବା ସହ ସେମାନଙ୍କ ମୁହଁରେ ଖୁସି ଆଣିବାକୁ ସମସ୍ତ ପ୍ରକାର ପ୍ରୟାସ କରିଛନ୍ତି । ଚାଷ ପରେ ପଶୁପାଳନକୁ ଚାଷୀଙ୍କ ରୋଜଗାରରେ ଉନ୍ନତି ପାଇଁ ଦ୍ବିତୀୟ ରାସ୍ତା ବୋଲି ସରକାର ଚିହ୍ନଟ କରିଛନ୍ତି । ଏହି ମୋବାଇଲ ଭେଟେନାରୀ ୟୁନିଟ ଗୁଡିକ ଉନ୍ନତ ମାନର ପ୍ରାଣୀ ଚିକିତ୍ସା ପ୍ରଦାନ କରିବେ । ଏହାସହିତ ୟୁନିଟରେ ଥିବା ବିଶେଷଜ୍ଞମାନେ ଚାଷୀଙ୍କୁ ଏ ସମ୍ପର୍କିତ ପରାମର୍ଶ ମାନ ଦେବେ । ପ୍ରାଥମିକ ପ୍ରାଣୀ ଚିକିତ୍ସା, ଜଟିଳ ଅସ୍ତ୍ରୋପଚାର, ଟିକାକରଣ ନିଦାନ ସେବା ସମତେ ଚାଷୀ ସଚେତନତା ଶିବିର ଆୟୋଜନ କରାଯିବ । ମୋବାଇଲ ଭେଟେନାରୀ ୟୁନିଟ ଗୁଡିକର ଲୋକେସନ୍ ଜାଣିବା ପାଇଁ ଜିପିଏସ୍ ବ୍ୟବସ୍ଥା ରହିବ ।

ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ରାଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ, ମୋବାଇଲ୍ ପ୍ରାଣୀ ଚିକିତ୍ସା ୟୁନିଟ୍ ରାଜ୍ୟରେ ପଶୁ ସମ୍ପଦର ବିକାଶକୁ ଏକ ନୂତନ ଉଚ୍ଚତାକୁ ନେବ। ଏହି ଅବସରରେ ସଚିବ (ଫାଇଭ୍‌-ଟି) ଭି.କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ନିର୍ଦ୍ଦେଶକ, ପଶୁପାଳନ ଏବଂ ପଶୁ ଚିକିତ୍ସା ସେବା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *