ଦିଲ୍ଲୀବାସୀ ୨ ଦିନ ଅର୍ଡର କରିପାରିବେ ନାହିଁ ପିଜ୍ଜା-ବର୍ଗର
ଦିଲ୍ଲୀବାସୀ ୨ ଦିନ ଅର୍ଡର କରିପାରିବେ ନାହିଁ ପିଜ୍ଜା-ବର୍ଗର। ଦିଲ୍ଲୀରେ ଆସନ୍ତା ୯ ଏବଂ ୧୦ ତାରିଖ ଦୁଇ ଦିନ ଧରି ଚାଲିବ ଜି-୨୦ ଶିଖର ସମ୍ମିଳନୀ। ୧୯ଟି ଦେଶରୁ ନେତାମାନେ ଏଠାକୁ ଆସିବେ। ଏଥିପାଇଁ ସମଗ୍ର ଦିଲ୍ଲୀକୁ ସଜାଯାଇଛି। ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି।
ଦିଲ୍ଲୀ ଟ୍ରାଫିକର ସ୍ପେଶାଲ ପୋଲିସ କମିଶନର ଏସ୍.ଏସ୍ ଯାଦବ କହିଛନ୍ତି ଯେ କେବଳ ଡାକ, ମେଡିକାଲ, ଲ୍ୟାବ ଟେଷ୍ଟ୍ ପାଇଁ ନମୁନା ନେବା ଭଳି ଜରୁରୀକାଳୀନ ସେବାକୁ ଅନୁମତି ଦିଆଯିବ। ଔଷଧ ବ୍ୟତୀତ ସମସ୍ତ ଅନଲାଇନ୍ ଡେଲିଭରି ସେବା ଉପରେ ଅସ୍ଥାୟୀ ପ୍ରତିବନ୍ଧକ ରହିବ। ବାଣିଜ୍ୟିକ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ନାହିଁ।
ପୋଲିସ କମିଶନର ଯାଦବ କହିଛନ୍ତି, ଭିଆଇପି ମୁଭ୍ମେଣ୍ଟ୍ ଏବଂ ସୁରକ୍ଷା କାରଣରୁ ମେଟ୍ରୋ ଷ୍ଟେସନଗୁଡ଼ିକରେ ୧୦-୧୫ ମିନିଟ୍ ପାଇଁ ଗେଟ୍ ବନ୍ଦ ହୋଇପାରେ। କିନ୍ତୁ ସୁପ୍ରିମକୋର୍ଟ ମେଟ୍ରୋ ଷ୍ଟେସନ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ। ଅନ୍ୟ ଷ୍ଟେସନଗୁଡ଼ିକରେ ମେଟ୍ରୋ ସେବା ପ୍ରଭାବିତ ହେବ ନାହିଁ।
ଯାଦବ କହିଛନ୍ତି, ଜିଲ୍ଲା ମଧ୍ୟରେ ହୋଟେଲ, ରେଲେଓ୍ଵ, ବିମାନବନ୍ଦର ଯାଉଥିବା ଯାତ୍ରୀମାନଙ୍କୁ ନିଜର ବୋର୍ଡିଂ ପାସ୍ ଏବଂ ବୁକିଂ ଡକ୍ୟୁମେଣ୍ଟ୍ ଦେଖାଇବା ପରେ ହିଁ ଯିବାକୁ ଅନୁମତି ମିଳିବ।