ନନ୍ଦନକାନନରେ ସମ୍ବର ଶାବକ ଜନ୍ମ, ତିନି ଅସୁସ୍ଥ ସିଂହ ଶାବକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

Spread the love

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୩୯ନମ୍ବର ଖୁଆଡ଼ରେ ରହୁଥିବା ସମ୍ବର ଗୁରୁବାର ଏକ ଶାବକ ଜନ୍ମ ଦେଇଛି। ମାଆ ଓ ଶାବର ଉଭୟ ସୁସ୍ଥ ଥିବା ଜଣାପଡ଼ିଛି। ଅନ୍ୟପଟେ ସିଂହ ସଫାରୀରେ ଅସୁସ୍ଥ ଥିବା ସିଂହୀ ବିଜ୍‌ଲୀର ତିନୋଟି ଶାବକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କଲେ ଓୟୁଏଟିର ଦୁଇଜଣିଆ ଡାକ୍ତରୀ ଦଳ। ଗୁରୁବାର ଏହି ଡାକ୍ତରୀ ଦଳ ପ୍ରାଣୀ ଉଦ୍ୟାନ ପହଞ୍ଚିଥିଲେ।

ସୂଚନା ଅନୁସାରେ ଗତ ଶନିବାର ସିଂହ ସଫାରୀରେ ରହୁଥିବା ସିଂହୀ ବିଜ୍‌ଲୀର ୯ ମାସର ତିନି ଶାବକ ଅସୁସ୍ଥ ହୋଇପଡିଥିଲେ। ସେଥିମଧ୍ୟରୁ ଅଣ୍ଡିରା ଶାବକଟି ଅଧିକ ଗୁରୁତର ହୋଇପଡିଥିଲା। ତେଣୁ ତାକୁ ଶନିବାର ସନ୍ଧ୍ୟାରେ ପ୍ରାଣୀ ଚିକିତ୍ସାଳୟକୁ ଆଣି ସାଲାଇନ ସହିତ ଆଣ୍ଟିବାୟୋଟିକ ଓ ଭିଟାମିନ ଦିଆଯାଇଥିଲା। ଅନ୍ୟ ଦୁଇ ମାଈ ଶାବକଙ୍କୁ ମାଆ ପାଖରେ ଚିକିତ୍ସା କରାଯାଉଥିଲା। ତେବେ ଶାବକଙ୍କ ସ୍ୱାସ୍ଥ୍ୟରେ ସୁଧାର ନଆସିବାରୁ ଗତକାଲି ଡାକ୍ତରୀ ଦଳ ଆସି ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ନମୁନା ସଂଗ୍ରହ କରିଛନ୍ତି। ରିପୋର୍ଟ ଆସିବା ପରେ ତିନି ଶାବକ ଅସୁସ୍ଥର କାରଣ ଜଣାପଡିବ।

ଅନ୍ୟପଟେ ଗତକାଲି ସକାଳୁ ପ୍ରାଣୀ ଉଦ୍ୟାନରେ ୩୯ନମ୍ବର ଖୁଆଡ଼ରେ ସମ୍ବର ଏକ ଶାବକ ଜନ୍ମ ଦେବା ଦେଖି ଦାୟିତ୍ୱରେ ଥିବା କର୍ମଚାରୀ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ପ୍ରାଣୀ ଚିକିତ୍ସକ ଖୁଆଡରେ ପହଞ୍ଚି ମାଆ ଓ ଶାବକଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଥିଲେ। ବର୍ତ୍ତମାନ ଉଭୟ ସୁସ୍ଥ ଅଛନ୍ତି।

Leave a Reply

Your email address will not be published. Required fields are marked *