ଆଲୁମିନିୟମ ରେଳ ୱାଗନ ଓ କୋଚ୍‍ ନିର୍ମାଣ ପାଇଁ ହିଣ୍ଡାଲକୋ-ଟେକ୍ସମାକୋ ଚୁକ୍ତିନାମା ସ୍ୱାକ୍ଷରିତ

Spread the love

ଭୁବନେଶ୍ୱର:   ବିଶ୍ୱର ସର୍ବବୃହତ ଆଲୁମିନିୟମ ରୋଲିଂ ଏବଂ ରିସାଇକ୍ଲିଂ କମ୍ପାନୀ ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ଏବଂ ଏକ ସ୍ପେଶାଲାଇଜଡ୍‍ ଇଞ୍ଜିନିୟରିଂ କମ୍ପାନୀ ଟେକ୍ସମାକୋ ରେଲ୍‍ ଆଣ୍ଡ୍‍ ଇଞ୍ଜିନିୟରିଂ ଲିମିଟେଡ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇଛି ।   ବିଶ୍ୱ ଶ୍ରେଣୀର ଆଲୁମିନିୟମ ରେଳ ୱାଗନ ଏବଂ କୋଚ୍‍ ବିକାଶ ଓ ବିନିର୍ମାଣ ନିମନ୍ତେ ଏହି ଚୁକ୍ତିନାମା ସ୍ୱାକ୍ଷର ହୋଇଛି ।

ଏହି ଚୁକ୍ତିନାମା  ଭାରତୀୟ ରେଳବିଭାଗକୁ ଏହାର  ଲକ୍ଷ୍ୟ ହାସଲ ଦିଗରେ ସହାୟକ ହେବ । ପରିଚାଳନାଗତ ସାମର୍ଥ୍ୟ ମଧ୍ୟ ଅଧିକ ସୁଦୃଢ ହୋଇପାରିବ । ଭାରତୀୟ ରେଳ ବିଭାଗ ପଣ୍ୟ ପରିବହନରେ ୪୫% ବଜାର ଅଂଶ ହାସଲ ଲକ୍ଷ୍ୟ ରଖିଛି । ତେଣୁ  ନିଜର ରୋଲିଂ ଷ୍ଟକ୍‍ ସଂଖ୍ୟା ବୃଦ୍ଧିକରି ୨୦୨୭ ସୁଦ୍ଧା ଏହାର ପଣ୍ୟ ପରିବହନ କ୍ଷମତା ଦ୍ୱିଗୁଣିତ କରିବା ସହିତ ତାହାକୁ ୩,୦୦୦ ନିୟୁତ ଟନ୍‍ରେ ପହଞ୍ଚାଇବା ଲକ୍ଷ୍ୟ ରଖିଛି । ଏହି ଲକ୍ଷ୍ୟପୂରଣ ପାଇଁ ଆରମ୍ଭ ହୋଇଛି  ‘ମିଶନ୍‍ ୩୦୦୦ ନିୟୁତ ଟନ୍‍’  ।

ଏଥିପାଇଁ   ରେଳ ବିଭାଗ ତାହାର ୱାଗନ ଡିଜାଇନରେ ଉନ୍ନତି ଆଣିବା ନିମନ୍ତେ ସକ୍ରିୟ ଭାବରେ କାର୍ଯ୍ୟ କରୁଛି ଏବଂ ୱାଗନ୍‍ ନିର୍ମାତାମାନେ ମୋଟାମୋଟି ପରିବହନ କ୍ଷମତା ବୃଦ୍ଧି ସହିତ ରେଳ ବିଭାଗ ସମ୍ପତ୍ତିର ବୃଦ୍ଧି ପାଇଁ ସେମାନଙ୍କ ନିକଟରୁ ଡିଜାଇନ ଆହ୍ୱାନ କରୁଛି । ଏସବୁକୁ ଦୃଷ୍ଟିରେ ରଖି   ହିଣ୍ଡାଲ୍‍କୋ ଏବଂ ଟେକ୍ସମାକୋ ସୁଯୋଗ ଅନୁଧ୍ୟାନ କରିବାକୁ ପରସ୍ପର ସହିତ ହାତ ମିଳାଇଛନ୍ତି ।   ହିଣ୍ଡାଲ୍‍କୋ ନିଜର ଅନନ୍ୟ ଆଲୁମିନିୟମ ଆଲୟଜ୍‍ର ପ୍ରୋଫାଇଲ, ସିଟ୍‍ ଏବଂ ପ୍ଲେଟ୍‍ ଯୋଗାଇଦେବ  । ତାହାସହିତ ଫାବ୍ରିକେସନ୍‍ ଏବଂ ୱେଲ୍‍ଡିଂ ବିଦ୍ୱତା ମଧ୍ୟ ଉପଲବ୍ଧ କରାଇବ ।

ବିଗତ ୮୦ ବର୍ଷ ଧରି ଟେକ୍ସମାକୋ ପଣ୍ୟ ପରିବହନକାରୀ କାର୍‍ ନିର୍ମାଣ କ୍ଷେତ୍ରରେ ଏକ ବିଶାରଦ ହୋଇଥିବାବେଳେ ତାହା ବୈଷୟିକ ଅଭିଜ୍ଞତା ପ୍ରଦାନ କରିବ ଏବଂ ଡିଜାଇନ, କାରଖାନା ଓ ଉତ୍ପାଦନ ଲାଇନ୍‍ ସ୍ଥାପନ ଏବଂ କୁଶଳୀ ଲୋକଶକ୍ତି ଯୋଗାଣ ଦାୟିତ୍ୱ ନିଭାଇବ ।

ଏହି ସହଭାଗୀତା ସମ୍ପର୍କରେ ମତ ଦେଇ ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ୍‍ ମ୍ୟାନେଜିଂ ଡାଇରେକ୍ଟର ସତୀଶ ପାଇ,କହିଥିଲେ,  ଏହି ସହଭାଗୀତା ପଣ୍ୟ ପରିବହନ  ଏବଂ ଯାତ୍ରୀ ପରିବହନ ନିମନ୍ତେ ମୂଲ୍ୟଗତ  ବୃଦ୍ଧି ଘଟାଇବାରେ ଆମ  ଭୂମିକାକୁ ଅଧିକ ସୁଦୃଢ କରିବ ଏବଂ ସେହି ସମୟରେ ରେଳ ବିଭାଗକୁ ତାହାର ନେଟ୍‍ ଜିରୋ ଲକ୍ଷ୍ୟ ହାସଲ ଦିଗରେ ସହାୟତା କରିବ ।

ସେହିପରି ଟେକ୍ସମାକୋର ଭାଇସ୍‍ ଚେୟାରମ୍ୟାନ  ଇନ୍ଦ୍ରଜିତ ମୁଖାର୍ଜୀ କହିଥିଲେ, “ଏହି ମୂଲ୍ୟବାନ ସହଭାଗିତା ଦୀର୍ଘସ୍ଥାୟୀ ଉତ୍ପାଦ ସୃଷ୍ଟି ଦିଗରେ ବିଶେଷ ସହାୟକ ହେବ ।  ତାହାସହିତ ଏହା ଶିଳ୍ପର ଅଙ୍ଗାରକ ନିର୍ଗମନ ହ୍ରାସ ତଥା ଏକ ସକାରାତ୍ମକ ପରିବେଶ ପ୍ରଭାବକୁ ଆଗେଇ ନେବା ଦିଗରେ ଆମର ପ୍ରତିବଦ୍ଧତାକୁ ପୁନଃମଜଭୁତ କରିବ ।

Leave a Reply

Your email address will not be published. Required fields are marked *