ମହାନଦୀରେ ବନ୍ୟା: ତଳିଆ ଅଞ୍ଚଳରେ ପସିଲା ପାଣି, ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

Spread the love

ବାଙ୍କୀ: ମହାନଦୀରେ ବନ୍ୟା ଜଳ ଆସିଛି। ଅନେକ ଗାଁକୁ ବନ୍ୟାଜଳ ପ୍ରବେଶ କରିଛି। ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହାର ପ୍ରଭାବରେ ବାଙ୍କୀ ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ଖାଲୁଆ ସ୍ଥାନ ବର୍ଷାଜଳରେ ପରିପୂର୍ଣ୍ଣ ରହିଥିବା ଦେଖିବାକୁ ମିଳିଥିଲା। ମହାନଦୀରେ ବୁଧବାର ସଂଧ୍ୟାସୁଦ୍ଧା ବନ୍ୟାଜଳ ପ୍ରବାହିତ ହେଉଥିଲେ ମଧ୍ୟ ବାଙ୍କୀରେ ବିପଦ ସଂକେତ ୭.୬ ମିଟରରୁ ଯଥେଷ୍ଟ ତଳେ ପ୍ରବାହିତ ହେଉଥିଲା। ମାତ୍ର ୧୨ ଘଣ୍ଟା ମଧ୍ୟରେ ମହାନଦୀର ରୂପରେଖ ସମ୍ପୂର୍ଣ୍ଣ ବଦଳି ଯାଇଥିବା ବେଳେ ଗୁରୁବାର ସଂଧ୍ୟା ସୁଦ୍ଧା ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହୋଇ କ୍ରମଶଃ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି।
ଗୁରୁବାର ସନ୍ଧ୍ୟା ୫ ଘଟିକାରେ ବାଙ୍କୀରେ ମହାନଦୀର ଜଳସ୍ତର ୮ ମିଟର ରହିଥିବା ଦେଖାଯାଇଛି। ବାଙ୍କୀକୁ ସର୍ବଦା ମହାନଦୀର ପଛୁଆ ବନ୍ୟାଜଳ ବିପଦ ସୃଷ୍ଟି କରିଆସୁଥିବା ବେଳେ ମହାନଦୀର ଶାଖା ରଣନଦୀ ଦେଇ ଏବେ ବନ୍ୟାଜଳ ପ୍ରବାହିତ ହେଉଅଛି, ଯାହା ଫଳରେ ବାଙ୍କୀ ଉପଖଣ୍ଡର ବିସ୍ତୃତ ଚାଷଜମି ଜଳ ପ୍ଲାବିତ ହୋଇଥିବା ବେଳେ ଅନେକ ସ୍ଥାନକୁ ସଡକ ପଥ ବିଛିନ୍ନ ହୋଇଥିବା ଦେଖାଯାଇଛି। କଇଁଆ ନାଳ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହୋଇ ବାଙ୍କୀ ସହରରୁ ବିଲିପଡା ମଧ୍ୟଦେଇ ତାଳବସ୍ତକୁ ଯାଇଥିବା ରାସ୍ତା ବନ୍ଦ ହୋଇ ଯାତାୟତ ବାଧାପ୍ରାପ୍ତ ହୋଇଅଛି। ଏହାଛଡା ଶଖୁଆଖଳା, ବିଲିପଡା ଏବଂ କଇଁମୁଣ୍ଡି ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଥିବା ବେଳେ ଚାରିଘରିଆ, ଉପର ପାଥପୁର ଗ୍ରାମକୁ ମଧ୍ୟ ଯୋଗାଯୋଗ ବ୍ୟାହତ ହୋଇଥିବା ଦେଖିବାକୁ ମିଳିଛି।
ସେହିପରି ବାଙ୍କୀ ବ୍ଲକ ଅନ୍ତର୍ଗତ ହୁଳୁହୁଳା ପୋଲ ଉପରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେବାରୁ ୩ ଗୋଟି ପଞ୍ଚାୟତକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଥିବା ବେଳେ ବାଙ୍କୀ-ବୈଦେଶ୍ୱର ରାସ୍ତା ଉପରେ ଚନ୍ଦ୍ରପା ଠାରେ ବନ୍ୟାଜଳ ମଧ୍ୟ ପ୍ରବାହିତ ହେଉଥିବା ଜଣାଯାଇଛି । ଇତି ମଧ୍ୟରେ ପ୍ରଶାସନ ପକ୍ଷରୁ ବନ୍ୟା ଘେରରେ ରହିଥିବା ଜନସାଧାରଣଙ୍କ ଯାତାୟତ ପାଇଁ ଯନ୍ତ୍ର ଚାଳିତ ଡଙ୍ଗା ବନ୍ୟା ପ୍ଲାବିତ ଅଞ୍ଚଳକୁ ପଠାଯାଇଥିବା ବେଳେ କୈାଣସି ପ୍ରତିକୂଳ ପରିସ୍ଥିତିକୁ ମୁକାବିଲା କରିବାକୁ ଅଗ୍ନିଶମ, ଓଡ୍ରାଫ ଏବଂ ଏନଡିଆରଏଫ ଟିମ୍ ସଜାଗ ରହିଥିବା ପ୍ରଶାସନ ପକ୍ଷରୁ ପ୍ରକାଶ।

Leave a Reply

Your email address will not be published. Required fields are marked *