କିମ୍‍ସରେ ହାର୍ଟ-ଲଙ୍ଗ୍‍ସ ମେସିନ୍ ସାହାଯ୍ୟରେ ହେଲା ବିରଳ ଶ୍ୱାସନଳୀ ଟ୍ୟୁମର ଅସ୍ତ୍ରୋପଚାର

Spread the love

ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ (କିମ୍‌ସ)ର କର୍ଣ୍ଣ-ନାସା-ଗଳା ସର୍ଜନମାନେ ହାର୍ଟ-ଲଙ୍ଗ୍‍ସ ମେସିନ୍ ସାହାଯ୍ୟରେ ଦୁଇଟି ବିରଳ ଅସ୍ତ୍ରୋପଚାର କରି ଉଦାହରଣ ସୃଷ୍ଟି କରିଛନ୍ତି । ଦୁଇ ସପ୍ତାହରେ ଦୁଇ ଦୁଇ ଜଣ ରୋଗୀଙ୍କଠାରେ ମିନିମାଲ ଇନ୍‍ଭାସିଭ୍‍ ପ୍ରକ୍ରିୟାରେ ଏହି ବିରଳ ଅସ୍ତ୍ରୋପଚାର କରାଯାଇ ପାରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହୃଦ୍‍ରୋଗ ଅସ୍ତ୍ରୋପଚାରରେ ଉପଯୋଗ ହେଉଥିବା ହାର୍ଟ-ଲଙ୍ଗସ୍ ମେସିନ୍ ସାହାଯ୍ୟରେ ଏହି ଅସ୍ତ୍ରୋପଚାର କରାଯାଇଥିଲା ।

ସାଧାରଣତଃ ଏହି ଭଳି ଅସ୍ତ୍ରୋପଚାର ସମୟରେ ନଳୀ ଜରିଆରେ ନିଶ୍ଚେତକ ଦିଆ ଯାଇଥାଏ ଓ ଅସ୍ତ୍ରୋପଚାର କରାଯାଇ ଶ୍ୱାସନଳୀରୁ ଟ୍ୟୁମର ବାହାର କରାଯାଏ । କିନ୍ତୁ ଏହି କ୍ଷେତ୍ରରେ ଟ୍ୟୁମର ଟ୍ରାକିଆଲ ଟ୍ୟୁବକୁ ଅବରୋଧ କରୁଥିବାରୁ କିମ୍‍ସ ବିଶେଷଜ୍ଞମାନେ ହାର୍ଟ-ଲଙ୍ଗ୍‍ସ ମେସିନ ସାହାଯ୍ୟରେ ଅସ୍ତ୍ରୋପଚାର କରି ସଫଳ ହୋଇଛନ୍ତି ।

ଉଭୟ ରୋଗୀଙ୍କଠାରେ ଟ୍ୟୁମର ସେମାନଙ୍କ ଫୁସ୍‍ଫୁସ୍‍କୁ ବାୟୁ ଯିବାରେ ବାଧା ସୃଷ୍ଟି କରୁଥିବା ବେଳେ ଦ୍ୱିତୀୟ ରୋଗୀଙ୍କଠାରେ ଫୁସ୍‍ଫୁସ୍‍ର ଗୋଟିଏ ଅଂଶ ଠିକ୍‍ ଭାବେ କାମ କରୁ ନ ଥିଲା । ଅସ୍ତ୍ରୋପଚାର ଯୋଜନା ପୂର୍ବରୁ ହୃତପିଣ୍ଡ ଓ ଫୁସ୍‍ଫୁସ୍‍ ମଧ୍ୟରେ ଟ୍ୟୁମରକୁ ଚିହ୍ନଟ କରିବା ଇଏନ୍‍ଟି ଓ ସିଟିଭିଏସ୍‍ ବିଶେଷଜ୍ଞଙ୍କ ପାଇଁ ଚ୍ୟାଲେଞ୍ଜ ଥିଲା ବୋଲି କିିମ୍‍ସ କର୍ଣ୍ଣ-ନାସା-ଗଳା ବିଭାଗ ମୁଖ୍ୟ ଡା. ଖଗେଶ୍ୱର ରାଉତ ସୂଚନା ଦେଇଛନ୍ତି ।

ସିଟିଭିଏସ୍ ସର୍ଜନ ଚନ୍ଦନ କୁମାର ରାୟ ମହାପାତ୍ର କହିଛନ୍ତି, ସାଧାରଣ ପ୍ରକ୍ରିୟାରେ ଟ୍ୟୁମର ଗୁରୁତର ନ ହେଲେ ଭେଣ୍ଟିଲେଟର ସହାୟତାରେ ଏଭଳି ଅସ୍ତ୍ରୋପଚାର କରାଯାଏ ଏବଂ ଟ୍ୟୁବ୍ କରି ନିଶ୍ଚେତକ ଦିଆଯାଏ । ତେବେ ଆକାର ଓ ସ୍ଥାନ ଦୃଷ୍ଟିରୁ ଟ୍ୟୁମର ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ଅସ୍ତ୍ରୋପଚାର ସମୟରେ ଶରୀରକୁ ଅମ୍ଳଜାନ ଯୋଗାଣ ପାଇଁ ହାର୍ଟ-ଲଙ୍ଗ୍‍ସ ମେସିନ୍ ବ୍ୟବହାର କରାଯାଇଥିଲା ।

Leave a Reply

Your email address will not be published. Required fields are marked *