କନ୍ଧମାଳରେ ଲଗାଣ ବର୍ଷା ଜାରି; ତଳିଆ ଅଞ୍ଚଳ ଜଳମଗ୍ନ

Spread the love

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଗତ ୧୨ ଘଣ୍ଟା ମଧ୍ୟରେ ଜିଲ୍ଲାରେ ରେକର୍ଡ ପରିମାଣରେ ବର୍ଷା ହୋଇଛି। ଜିଲ୍ଲାର କ.ନୂଆଗାଁ ବ୍ଲକରେ ସର୍ବାଧିକ ୧୫୮ ମିମି. ବୃଷ୍ଟିପାତ ରେକର୍ଡ କରାଯାଇଛି। ସେହିଭଳି ଫିରିଙ୍ଗିଆ ବ୍ଲକରେ ୧୩୪ ମିମି. ବର୍ଷା ହୋଇଥିବା ବେଳେ ବାଲିଗୁଡ଼ାରେ ୧୨୦ ମିମି., ତୁମୁଡ଼ିବନ୍ଧରେ ୧୧୧ ମିମି., କୋଟଗଡ଼ରେ ୧୦୯ମିମି., ଫୁଲବାଣୀରେ ୧୦୨ ମିମି, ଚକାପାଦରେ ୩୦ ମିମି., ଘୁ.ଉଦୟଗିରିରେ ୧୦ ମିମି., ଦାରିଙ୍ଗିବାଡ଼ିରେ ୩୨ ମିମି., ଖଜୁରୀପଡ଼ାରେ ୪୩ ମିମି., ରାଇକିଆରେ ୭୩ ମିମି. ଓ ଟିକାବାଲିରେ ୭୨ ମିମି. ବୃଷ୍ଟିପାତ ରେକର୍ଡ଼ କରାଯାଇଛି। ଗତ ଦୁଇ ସପ୍ତାହ ଧରି ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ଗତ ୧୨ ଘଣ୍ଟାରେ ପ୍ରବଳ ବର୍ଷିଛି। ଫଳରେ ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ବାଲିଗୁଡ଼ା, କ.ନୂଆଗାଁ, ଫିରିଙ୍ଗିଆ ବ୍ଲକରେ ପ୍ରବଳ ବର୍ଷା ହୋଇଥିବାରୁ ବାଘ, ଖଡ଼୍‌ଗ, କାଳିପେନୁ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେହିଭଳି ଫୁଲବାଣୀରେ ପ୍ରବଳ ବର୍ଷା ହୋଇଥିବାରୁ ସାଲୁଙ୍କୀ ନଦୀରେ ବନ୍ୟା ପରସ୍ଥିତି ସୃଷ୍ଟି ହେବା ସହିତ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି।
ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଘାଟିରାସ୍ତା ଯାତାୟାତ ଅନୁପଯୋଗୀ ହୋଇ ପଡ଼ିଛି। ବର୍ଷା ସମୟରେ ଘାଟି ରାସ୍ତା ଦେଇ ଯାନବାହନ ଚଳାଚଳ ନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ବର୍ଷା ଯୋଗୁଁ କେତେକ ସ୍ଥାନରେ ଘରଦ୍ବାର ଭାଙ୍ଗି ଯାଇଥିବା ବେଳେ ଘାଟି ରାସ୍ତାଗୁଡ଼ିକ ବିପଦସଂକୁଳ ହୋଇପଡ଼ିଛି। ଅନେକ ଘାଟିରୁ ମାଟି ଅତଡ଼ା ଖସି ପଡ଼ିବା ଯୋଗୁଁ ଯାତାୟାତରେ ବିଭ୍ରାଟ ସୃଷ୍ଟି ହୋଇଛି। ବର୍ଷାରେ ରାଇକିଆ ଓ ସୋରଡ଼ା ମଧ୍ୟରେ ସଂଯୋଗ କରୁଥିବା କରଡ଼ାଘାଟି ଏବଂ ଫୁଲବାଣୀ ଓ ବୌଦ୍ଧ ମଧ୍ୟରେ ସଂଯୋଗ କରୁଥିବା ରାଣୀପଥର ଘାଟିର କେତେକ ସ୍ଥାନରେ ମାଟି ଅତଡ଼ା ଖସି ପଡ଼ିଥିବା ସୂଚନା ମିଳିଛି।
ସେହିଭଳି ଭେଟଖୋଲ ଘାଟି ରାସ୍ତା ବିପଦସଂକୁଳ ଅବସ୍ଥାରେ ରହିଛି। ଦାରିଙ୍ଗିବାଡ଼ି ଓ ସୋରଡ଼ା ମଧ୍ୟରେ ଥିବା ସାତବାଙ୍କିଆ ଘାଟିରେ ମଧ୍ୟ କେତେକ ସ୍ଥାନରେ ଭୂସ୍ଖଳନ ହୋଇଛି। କଣ୍ଟାମାଳ ଓ ଗୋଚ୍ଛାପଡ଼ା ମଧ୍ୟରେ ଥିବା ସୁଟାଣି ଘାଟି, ଫିରିଙ୍ଗିଆର ପକାରି ଘାଟି ଓ ବିଲୁରି ଘାଟି ଲଗାଣ ବର୍ଷା ଯୋଗୁଁ ବିପଦସଂକୁଳ ହୋଇ ପଡ଼ିଛି। ବାଲିଗୁଡ଼ାରୁ ବଲାଙ୍ଗୀରକୁ ସଂଯୋଗ କରୁଥିବା ସାତକାଟି ଘାଟି ଓ ଖମନଖୋଲ ଘାଟି ରାସ୍ତା, ରାଇକିଆ ଓ ସୋରଡ଼ା ମଧ୍ୟରେ ସଂଯୋଗ କରୁଥିବା କରଡ଼ା ଘାଟିର ଅନେକ ସ୍ଥାନରେ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି। କୋଟଗଡ଼ର ରାଣୀପାଙ୍ଗା ଘାଟି, ବେଲଘର ଘାଟି, ଲଦାଘାଟି, ଚକାପାଦର ଅଠରବାଙ୍କ ଘାଟି, ଲାଇନପଡ଼ାରୁ ଚକାପାଦ ମଧ୍ୟରେ ଥିବା ଗଦଗଦି ଘାଟି ଏବଂ ଦାରିଙ୍ଗିବାଡ଼ିରୁ ବ୍ରାହ୍ମଣୀଗାଁ ମଧ୍ୟରେ ଥିବା ସିଜିଗାଣ୍ଡା ଓ ଟେକାଙ୍ଗିଆ ଘାଟିରେ ମଧ୍ୟ ଭୂସ୍ଖଳନ ହୋଇଛି। ଏଣୁ ଏସବୁ ଘାଟି ରାସ୍ତା ଦେଇ ଯାତାୟାତ ନ କରିବାକୁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ତେବେ ଆଜି ରାତିତମାମ୍‌ କନ୍ଧମାଳ ଜିଲ୍ଲାରେ ବର୍ଷା ଜାରି ରହିଥିବାରୁ ଆସନ୍ତାକାଲି ବିଭିନ୍ନ ନଦୀମାନଙ୍କରେ ବନ୍ୟା ସ୍ଥିତି ଗମ୍ଭୀର ହେବାର ଆଶଙ୍କା କରାଯାଉଛି।

Leave a Reply

Your email address will not be published. Required fields are marked *