କନିଷ୍ଠ ଯନ୍ତ୍ରୀ (ସିଭିଲ) ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା: ୫୫ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ

Spread the love

ଭୁବନେଶ୍ବର: ପ୍ରଶ୍ନପତ୍ର ଲିକ୍ ମାମଲାରେ ୫୫ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରିକଲା ଓଏସଏସସି। ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ୍‌(ଓଏସଏସସି) ଦ୍ବାରା ପରିଚାଳିତ କନିଷ୍ଠ ଯନ୍ତ୍ରୀ (ସିଭିଲ) ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଗୁରୁବାର ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିଶାଲ କୁମାରଙ୍କ ସହିତ ୩ ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ବାଲେଶ୍ବର ଏସ୍‌ପି ଚିଠି ଲେଖିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଏହି ରାକେଟ୍‌ରେ ଗିରଫ ହୋଇଥିବା ସମୁଦାୟ ୧୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ସରକାରୀ କର୍ମଚାରୀ ଥିବା ବେଳେ ଅନ୍ୟମାନେ କୋଚିଂ ସେଣ୍ଟର, ବେସରକାରୀ ନିଯୁକ୍ତି ନିୟୋଜନ ସଂସ୍ଥାର କର୍ମଚାରୀ ଓ ଦଲାଲ୍‌। ମୁଖ୍ୟ ଅଭିଯୁକ୍ତ ବିଶାଲ କୁମାର ବିହାର ପାଟନାସ୍ଥିତ ଆକାଉଣ୍ଟ୍‌ସ ଜେନେରାଲ ବିଭାଗରେ ସିନିୟର ଜୁଡିସିଆଲ ଆକାଉଣ୍ଟାଣ୍ଟ୍‌ ଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେଠାକାର ଆକାଉଣ୍ଟ୍‌ସ ଜେନେରାଲଙ୍କୁ ଚିଠି ଲେଖାଯାଇଛି।
ସେହିପରି କନ୍ଧମାଳ ଜିଲ୍ଲାରେ ସରକାରୀ ଶିକ୍ଷକ ଥିବା ଗଞ୍ଜାମ ବେଲଗୁଣ୍ଠା ଥାନା ଅଞ୍ଚଳର ଗୋବିନ୍ଦଚନ୍ଦ୍ର ତ୍ରିପାଠୀ ଓ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଅଞ୍ଚଳର ସୁଶାନ୍ତ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦୁଇ ଜିଲ୍ଲାର ଡିଇଓଙ୍କୁ ଚିଠି କରାଯାଇଛି। ଏହାଛଡ଼ା କନିଷ୍ଠଯନ୍ତ୍ରୀ (ସିଭିଲ) ମେନ୍‌ ପରୀକ୍ଷାରେ ପାସ କରିବା ପାଇଁ ଏହି ରାକେଟ୍‌ ସହ ଡିଲ୍‌ରେ ଜଡ଼ିତ ଥିବା ୯୨ ଜଣ ପରୀକ୍ଷାର୍ଥୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ଏସ୍‌ପି ସାଗରିକା ନାଥ ଓଏସ୍‌ଏସ୍‌ସି ଅଧ୍ୟକ୍ଷଙ୍କୁ ଚିଠି ଲେଖିବା ସହ ସେମାନଙ୍କ ସଂପର୍କରେ ସମସ୍ତ ତଥ୍ୟ ଜଣାଇଛନ୍ତି।
ସେପଟେ ଏହି ନିଯୁକ୍ତି ଠକେଇ ରାକେଟ୍‌ ସହ ଓଏସ୍‌ଏସ୍‌ସିର ସମ୍ପୃକ୍ତି ଅଛି କି ନାହିଁ, ଡିଲ୍‌ ବେଳେ ଧରାପଡ଼ିଥିବା ୯୨ ଜଣ ପରୀକ୍ଷାର୍ଥୀଙ୍କ ଯୋଗାଯୋଗ ନମ୍ବର ଉକ୍ତ ରାକେଟ୍‌ ପାଇଲା କିପରି, ଓଏସ୍‌ଏସ୍‌ସିର ପ୍ରଶ୍ନପତ୍ର ଛାପିବା ପାଇଁ ବାହାର ରାଜ୍ୟର ଯେଉଁ ପ୍ରିଣ୍ଟିଂ ପ୍ରେସ୍‌କୁ ଦାୟିତ୍ବ ଦିଆଯାଇଥିଲା ସେଠାରେ ପ୍ରଶ୍ନପତ୍ର ସୁରକ୍ଷା ଦାୟିତ୍ବରେ କିଏ ଥିଲେ, ଏହି ଘଟଣା ପରେ ତାଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *