ଯୁବତୀଙ୍କ ସହ ଅଡିଓ ଭାଇରାଲ ପରେ ନିଲମ୍ବିତ ହେଲେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଅଧିକାରୀ

Spread the love

ଯାଜପୁର : ନିଲମ୍ବିତ ହେଲେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଅଧିକାରୀ ରମାକାନ୍ତ ମଲିକ। ଯୁବତୀଙ୍କୁ ବ୍ଲାକମେଲ କରି ଅଡ଼ୁଆରେ ପଡ଼ିଥିଲେ ଅଧିକାରୀ। ଯୁବତୀଙ୍କ ସହ ତାଙ୍କର ଅଶ୍ଳୀଳ ବାର୍ତ୍ତାଳପର ଅଡିଓ ଭାଇରାଲ ପରେ ଚର୍ଚ୍ଚାକୁ ଆସିଥିଲେ ରମାକାନ୍ତ। କଟକ ସେଣ୍ଟ୍ରାଲ ରେଞ୍ଜ ଅଗ୍ନିଶମ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଥିବା ସୂଚନା ରହିଛି।

ଯୁବତୀଙ୍କୁ ବ୍ଲାକ ମେଲ କରି ନିଜ ସହ ରାତି ବିତାଇବାକୁ ଜଣେ ଅଧିକାରୀ କହୁଥିବାର ଅଡିଓ ଏବେ ଭାଇରାଲ ହୋଇଛି। ଏହି ଅଡିଓରେ ଥିବା କଣ୍ଠ ସ୍ୱର ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅଗ୍ନିଶମ ବାହିନୀର ଜଣେ ବରିଷ୍ଠ ଅଧିକାରୀଙ୍କର ବୋଲି ଚର୍ଚ୍ଚା ହେଉଛି । ଭାଇରାଲ ଅଡିଓରେ ଅଧିକାରୀ ଜଣକ ଜଣେ ଯୁବତୀଙ୍କୁ ନିଜ ସହ ରାତି ବିତାଇବାକୁ ବାଧ୍ୟ କରୁଥିବାର ଶୁଣାଯାଉଛି।

ଯୁବତୀ ଜଣକ କାକୁତି ମିନତୀ ହୋଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପାଇଁ ନେହୁରା ହେଉଛନ୍ତି। ଅନ୍ୟପକ୍ଷରେ ଅଧିକାରୀ ଜଣକ ନିଜର ଏନଜିଓ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ସହିତ ଚଣ୍ଡିଖୋଲ କଲେଜ ନିକଟରେ ଏକୁଟିଆ ଭଡା ଘରେ ରହୁଛନ୍ତି। ଏହି ଭଡା ଘରକୁ ଯୁବତୀ ଜଣକ ଆସିଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ ବୋଲି ଅଡିଓରେ ଏଭଳି ପ୍ରତିଶ୍ରୁତି ଦେଉଛନ୍ତି ବ୍ୟକ୍ତି ଜଣକ।

ସୂଚନା ମୁତାବକ, ଚଣ୍ଡିଖୋଲ ଅଗ୍ନିଶମ ବାହିନୀର ୩ଜଣ କର୍ମଚାରୀ ଯୁବତୀଙ୍କୁ ଅନୈତିକ କାରବାର ପାଇଁ ଆଣିଥିଲେ ବୋଲି ଏହି ଅଡିଓରୁ ଜଣାପଡିଛି । ଏସମ୍ପର୍କରେ ଯେତେବେଳେ ଉପରିସ୍ଥ ଅଧିକାରୀ ଜଣକ ଜାଣିଲେ ସେତେବେଳେ ସେ ମଧ୍ୟ ଏହି ଅନୈତିକ କାମରେ ସଂମ୍ପୃକ୍ତ ହେବାକୁ ଚାହିଁଲେ । ଏମିତିକି ତାଙ୍କୁ ସମ୍ପୃକ୍ତ ନ ରଖିଲେ ସେ ୩ ଜଣ ତଳିଆ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଇଥିଲେ।

ତେବେ ସମ୍ପୃକ୍ତ ଅଧିକାରୀ ଏହି ଘଟଣାକୁ ଅସ୍ବୀକାର କରିଥିବା ବେଳେ ଏହା ଏକ ଷଡ଼ଯନ୍ତ୍ର ବୋଲି କହିଥିଲେ। ତାଙ୍କର କିଛି କର୍ମଚାରୀଙ୍କ ବିରୁଦ୍ଧରେ ସେ କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ସେମାନେ ଉଦ୍ଦେଶ୍ୟମୂଳକ ଭାବେ ଏପରି ଏକ ଅଡିଓକୁ ଏଡିଟିଂ କରି ଭାଇରାଲ କରିଛନ୍ତି ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *