୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା; ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ସୋମବାର ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି (ବୁଧବାର) ଆହୁରି ଘନୀଭୂତ ହୋଇ ଉତ୍ତର ଆନ୍ଧ୍ରପ୍ରଦେଶ- ଦକ୍ଷିଣ ଓଡ଼ିଶା ଉପକୂଳରେ ପଶ୍ଚିମ-କେନ୍ଦ୍ରୀୟ ଏବଂ ତତ୍ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ସମୁଦ୍ର ପତ୍ତନ ଠାରୁ ୭.୬ କିଲୋମିଟର ଉଚ୍ଚତାରେ ରହିଛି।
ଅନ୍ୟପକ୍ଷରେ ମୌସୁମୀ ନିମ୍ନଚାପ ରେଖା ଆଜି ରାଜସ୍ଥାନର ଯଶେଲମେରରୁ ବାହାରି କୋଟା, ରାଇସେନ, ମାଣ୍ଡଲା, ଦୁର୍ଗ ଏବଂ ପଶ୍ଚିମ କେନ୍ଦ୍ରୀୟ ତତ୍-ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର- ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ- ଓଡିଶା ଉପକୂଳରେ ସକ୍ରିୟ ସୁଦୃଶଃ ଲଘୁଚାପ କ୍ଷେତ୍ରର କେନ୍ଦ୍ରରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି। ଏହା ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳର ୧.୫ କିମି ଉଚ୍ଚତା ଯାଏଁ ବ୍ୟାପିଛି।
ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୨୭ ଜୁଲାଇ, ଗୁରୁବାର ଅପରାହ୍ନ ମଧ୍ୟରେ ଓଡ଼ିଶାର ୨ ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୧୨ରୁ ୨୦ସେମି)ର ସମ୍ଭାବନା ରହଥିବା ବେଳେ ୬ଟି ଜିଲ୍ଲାରେ ପ୍ରବଳ ବର୍ଷା (୭ରୁ ୧୧ ସେମି)ର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।
ଏ ପରିସ୍ଥିତରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର କୋରାପୁଟ ଓ ମାଲକାନଗିରି ପ୍ରଭୃତି ୨ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୧୨ରୁ ୨୦ସେମି)ର ସମ୍ଭାବନା ରହିଛି। ସେଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଏହି ସମସ୍ତ ଜିଲ୍ଲାଗୁଡ଼ିକୁ କମଳା ଚେତାବନୀ ବା ଅରେଞ୍ଜଓ୍ଵାର୍ଣ୍ଣିଂ ଜାରି କରାଯାଇଛି।