ରାଉରକେଲା ଏନ୍‌ଆଇଟିର ୨୪ ଛାତ୍ରଛାତ୍ରୀ ବାର୍ଷିକ ୫୦ ଲକ୍ଷରୁ ଅଧିକ ବେତନରେ ପାଇଲେ ଚାକିରି ଅଫର୍

Spread the love

ରାଉରକେଲା: ରାଉରକେଲାସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏନ୍‌ଆଟି)କୁ ଚଳିତ ଶିକ୍ଷାବର୍ଷରେ କ୍ୟାମ୍ପସ ପ୍ଲେସମେଣ୍ଟରେ ସର୍ବାଧିକ ଚାକିରି ଅଫର ମିଳିଛି। କ୍ୟାମ୍ପସ ପ୍ଲେସମେଣ୍ଟ ପ୍ରକ୍ରିୟାରେ ଏନଆଇଟି ରାଉରକେଲାକୁ ୩୩୦ରୁ ଅଧିକ କମ୍ପାନିରୁ ମୋଟ ୧୫୩୪ଟି ଚାକିରି ଅଫର ମିଳିଛି। ଏହି କାରଣରୁ ବିଟେକ୍‌ ପାଠ୍ୟକ୍ରମର ୯୫% ରୁ ଅଧିକ ଛାତ୍ରଛାତ୍ରୀ ଚାକିରି ପାଇ ପାରିଛନ୍ତି।
ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ, ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ ଇନଷ୍ଟ୍ରୁମେଣ୍ଟେସନ୍‌ ଇଞ୍ଜିନିୟରିଂ ଏବଂ ସେରାମିକ୍‌ ଇଞ୍ଜିନିୟରିଂରେ ବିଟେକ୍‌ ଏବଂ ମାଇନିଂ ଇଞ୍ଜିନିୟରିଂ ଏବଂ ସେରାମିକ୍‌ ଇଞ୍ଜିନିୟରିଂରେ ଦ୍ୱୈତ ଡିଗ୍ରି ଭଳି ଶାଖାରେ ୧୦୦ ପ୍ରତିଶତ ପଞ୍ଜୀକୃତ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ମିଳିଛି।
ପ୍ଲେସମେଣ୍ଟ ଅଭିଯାନ ସମୟରେ ୨୪ ଜଣ ଛାତ୍ରଛାତ୍ରୀ ବାର୍ଷିକ ୫୦ ଲକ୍ଷରୁ ଅଧିକ ଟଙ୍କାର ପ୍ୟାକେଜ୍‌ରେ ନିଯୁକ୍ତି ପାଇଛନ୍ତି। ସେହିପରି ୮ ଜଣ ଛାତ୍ରଛାତ୍ରୀଙ୍କୁ ୫୨.୮୯ ଲକ୍ଷ ଟଙ୍କାର ଏଲପିଏ ଅଫର ମିଳିଛି। ମାଇକ୍ରୋସଫ୍‌ଟ, ଆମାଜନ, ଏଡବ୍ଲୁଏସ, ହଟଷ୍ଟାର, ଏସଏପି ଲ୍ୟାବ୍‌ସ ଇତ୍ୟାଦି ଶ୍ରେଷ୍ଠ ନିଯୁକ୍ତିକାରୀ (ମୋଟ ନିଯୁକ୍ତିର ୩୧.୧%) ଭାବରେ ଉଭା ହୋଇଛନ୍ତି।
ଏହି ଅବସରରେ ଏନ୍‌ଆଇଟି ରାଉରକେଲାର ନିର୍ଦେଶକ ପ୍ରଫେସର କେ ଉମାମହେଶ୍ୱର ରାଓ କହିଛନ୍ତି, ମୋଟାମୋଟି ଭାବେ ଏନ୍‌ଆଇଟି ରାଉରକେଲାର ସଫଳ ୨୦୨୨-୨୩ ପ୍ଲେସମେଣ୍ଟ୍ ସିଜିନ୍‌ ଆମ ଅନୁଷ୍ଠାନର ଉଜ୍ଜ୍ୱଳ ପ୍ରତିଭାର ପ୍ରମାଣ। ଏନ୍‌ଆଇଟି ରାଉରକେଲାରେ ଭଲ ପ୍ଲେସମେଣ୍ଟ/ଇଣ୍ଟର୍ଣ୍ଣସିପ୍‌ ହାର ଶିକ୍ଷାର ଗୁଣବତ୍ତା ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିକଶିତ ଦକ୍ଷତାକୁ ପ୍ରତିଫଳିତ କରୁଛି।

Leave a Reply

Your email address will not be published. Required fields are marked *