ଓଡ଼ିଶାରୁ ଏଫସିଆଇର ଚାଉଳ ସଂଗ୍ରହ ସମ୍ପର୍କରେ ତଥ୍ୟ ଦେଲେ କେନ୍ଦ୍ର ସରକାର

Spread the love

ଭୁବନେଶ୍ୱର: ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ୨୦୨୨-୨୩ ଖରିଫ ବିପଣନ ଋତୁରେ ୧୩ ଜୁଲାଇ, ୨୦୨୩ ସୁଦ୍ଧା ଓଡ଼ିଶାରୁ ୧୩ ଲକ୍ଷ ୫୩ ହଜାର ୨୩୯ ମେଟ୍ରିକ୍‌ ଟନ୍‌ ଚାଉଳ ସଂଗ୍ରହ କରିଥିବା କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ରାଷ୍ଟ୍ର ମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି ରାଜ୍ୟ ସଭାରେ ସୂଚନା ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨୦୨୧-୨୨ ଖରିଫ ବିପଣନ ଋତୁରେ  ଏଫସିଆଇ ୯ ଲକ୍ଷ ୧୭ ହଜାର ୬୫୧ ମେଟ୍ରିକ୍‌ ଟନ୍‌ରୁ ଅଧିକ ଚାଉଳ ସଂଗ୍ରହ କରିଥିଲା । ସେହିପରି ୨୦୨୦-୨୧ ଏବଂ ୨୦୧୯-୨୦ ଖରିଫ ବିପଣନ ଋତୁରେ ଯଥାକ୍ରମେ ୧୮ ଲକ୍ଷ ୯୯ ହଜାର ୪୯୦ ମେଟ୍ରିକ୍‌ ଟନ୍‌ ଏବଂ ୧୭ ଲକ୍ଷ ୧୫ ହଜାର ୧୦୮ ମେଟ୍ରିକ୍‌ ଟନ୍‌ ଚାଉଳ ସଂଗ୍ରହ କରିଥିଲା ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ବିକେନ୍ଦ୍ରିକୃତ କ୍ରୟ (ଡିସିପି) ରାଜ୍ୟ ମାନ୍ୟତା ଲାଭ କରିଛି ଯେଉଁଠାରେ ରାଜ୍ୟ ସରକାରଙ୍କ ସଂସ୍ଥାଗୁଡ଼ିକ ଧାନ କ୍ରୟ କରିଥାନ୍ତି ଏବଂ ରାଜ୍ୟର ଆବଶ୍ୟକତା ପୂରଣ ହୋଇସାରିବା ପରେ ବଳକା ଚାଉଳ ଭାରତୀୟ ଖାଦ୍ୟ ନିଗମର କେନ୍ଦ୍ରୀୟ ପୁଲ୍‌କୁ ଯାଇଥାଏ।ଚାଉଳ କିଣିବା ବାବଦରେ ଏଫସିଆଇ ପକ୍ଷରୁ ମିଲରମାନଙ୍କୁ ଧାନ କୁଟିବା ବାବଦରେ ଅର୍ଥ ମଧ୍ୟ ପଇଠ କରାଯାଇଥାଏ।

 

Leave a Reply

Your email address will not be published. Required fields are marked *