ବଙ୍ଗୋପସାଗରରେ ଲଘୁଚାପ : ପ୍ରବଳ ବର୍ଷାର ସମ୍ଭାବନା, ୧୪ ଟି ଜିଲ୍ଲାରେ ୟେଲୋ ଏବଂ ୧୧ଟି ଜିଲ୍ଲାରେ ଅରେଞ୍ଜ ସତର୍କତା

Spread the love

ଭୁବନେଶ୍ବର : ଓଡ଼ିଶା ଉପକୂଳରେ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଦିଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଆଲର୍ଟ କରାଯିବା ସହ ଅରେଞ୍ଜ ଓ ୟେଲୋ ୱାର୍ଣ୍ଟିଂ ସୂଚିତ ୨୫ଟି ଜିଲ୍ଲାର କ୍ଷେତ୍ର ସ୍ତରର ଅଧିକାରୀମାନଙ୍କୁ ହେଡକ୍ୱାର୍ଟର ନଛାଡ଼ିବାକୁ ତାଗିଦ୍ କରାଯାଇଛି ।
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଆଜି ପ୍ରଥମେ ୩ଟି ଜିଲ୍ଲା ଓ ପରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଲଘୁଚାପଜନିତ ସମ୍ଭାବ୍ୟ ଲଗାଣ ବର୍ଷା ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ବିଭିନ୍ନ ବିଭାଗ ଓ ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ ବାହିନୀ , ପୁଲିସକୁ ମଧ୍ୟ ସତର୍କ ରହିବାକୁ କହିଛନ୍ତି ।
ଭାରତୀୟ ପାଣିପାଗ ବିଭାଗର ସ୍ପେଶାଲ ବୁଲେଟିନ୍ ଅନୁସାରେ ବଙ୍ଗୋପସାଗରର ଉତ୍ତର ପଶ୍ଚିମ ଦିଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ଆସନ୍ତା ଦୁଇଦିନ ପର୍ଯ୍ୟ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତି କରିବାର ସମ୍ଭାବନା ଅଛି । ସେହିପରି ୨୪ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।
ପାଣିପାଗ ବିଭାଗର ସୂଚନା ଆଧାରରେ ୨୧ରୁ ୨୫ତାରିଖ ପର୍ଯ୍ୟନ୍ତ ୧୪ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଓ ୧୧ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଅରେଞ୍ଜ ୱାର୍ଣ୍ଣିଂ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ୟେଲୋ ୱାର୍ଣ୍ଣିଂ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା- ଗଜପତି, ରାୟଗଡ଼ା, ଖୋର୍ଦ୍ଧା, ସୋନପୁର, ବୌଦ୍ଧ, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ବରଗଡ଼, ପୁରୀ ,ଭଦ୍ରକ ଓ ବାଲେଶ୍ୱର । ଏସବୁ ଜିଲ୍ଲାରେ ୨୧ରୁ ୨୫ତାରିଖ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି ରହିବ । ସେହିପରି ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ବଲାଙ୍ଗିର, ନୂଆପଡ଼ା, ଝାରସୁଗୁଡ଼ା ଓ ଦେବଗଡ଼ । ଏସବୁ ଜିଲ୍ଲାରେ ୨୧ରୁ ୨୩ତାରିଖ ପର୍ଯ୍ୟନ୍ତ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

Leave a Reply

Your email address will not be published. Required fields are marked *