ମୁମ୍ବାଇ କୋଭିଡ୍‌ ସେଣ୍ଟର ଦୁର୍ନୀତି ମାମଲାରେ ସଞ୍ଜୟ ରାଉତଙ୍କ ଘନିଷ୍ଠ ସହଯୋଗୀଙ୍କ ସମେତ ୨ ଗିରଫ

Spread the love

ମୁମ୍ବାଇ :  ମୁମ୍ବାଇ କୋଭିଡ୍‌ ସେଣ୍ଟର ଦୁର୍ନୀତି ମାମଲାରେ ଶିବସେନା (ଉଦ୍ଧବ) ନେତା ସଞ୍ଜୟ ରାଉତଙ୍କ ଘନିଷ୍ଠ ସହଯୋଗୀ ସୁଜିତ ପାଟକର ଏବଂ ଡାକ୍ତର କିଶୋରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ଏହି ମାମଲାରେ ଏହା ହେଉଛି ପ୍ରଥମ ଗିରଫଦାରୀ। ଅଭିଯୁକ୍ତ ପାଟକର ଏବଂ ତାଙ୍କ ସହଯୋଗୀମାନେ ଲାଇଫ୍‌ ଲାଇନ୍‌ ହସ୍ପିଟାଲ ମ୍ୟାନେଜମେଣ୍ଟ ନାମକ ସଂସ୍ଥା ଜରିଆରେ ୨୦୨୦ରେ ଦୁଇଟି କୋଭିଡ୍‌ ଫିଲ୍‌ଡ ହସ୍ପିଟାଲ ପାଇଁ ଚୁକ୍ତି ପାଇଥିଲେ, ଗୋଟିଏ ୱାର୍ଲିରେ ଏବଂ ଅନ୍ୟଟି ଦହିସରରେ। ଏହି ଚୁକ୍ତିରୁ ସେମାନେ ୩୨ କୋଟି ଟଙ୍କା ପାଇଥିଲେ। ତେବେ, ଇଡି ଅଧିକାରୀମାନେ ଜାଣିବାକୁ ପାଇଲେ ଯେ ଏଥିରୁ ୨୨ କୋଟି ଟଙ୍କା ଅନ୍ୟ ବିଭିନ୍ନ ଆକାଉଣ୍ଟକୁ ପଠା ଯାଇଥିଲା। ଇଡି ଅଧିକାରୀମାନେ କୋଭିଡ୍‌ ଫିଲ୍‌ଡ ହସ୍ପିଟାଲଗୁଡ଼ିକରେ ବ୍ୟାପକ ଦୁର୍ନୀତି ହୋଇଥିବା ମଧ୍ୟ ଜାଣିବାକୁ ପାଇଥିଲେ, ଯେଉଁଠାରେ ଚୁକ୍ତି ଅନୁଯାୟୀ ଡାକ୍ତର, ନର୍ସ ଏବଂ କର୍ମଚାରୀଙ୍କ ସଂଖ୍ୟା ନିର୍ଦ୍ଦିଷ୍ଟ ଭାବେ ଦିଆଯାଇଥିଲା।

ତେବେ ସେମାନେ ସର୍ବନିମ୍ନ ସଂଖ୍ୟକ ଡାକ୍ତର, ନର୍ସ ଓ ପାରା ମେଡିକାଲ କର୍ମଚାରୀଙ୍କୁ ନେଇ କୋଭିଡ୍‌ ଫିଲ୍‌ଡ ହସ୍ପିଟାଲ ଚଳାଉଥିଲେ। ମୁମ୍ବାଇ ମହାନଗର ନିଗମର ମେୟରଙ୍କ ସ୍ୱାକ୍ଷରିତ ଚୁକ୍ତି ଅନୁଯାୟୀ, ଏକ ନିର୍ଦ୍ଦିଷ୍ଟ ସଂସ୍ଥା ମୃତ କୋଭିଡ୍‌-୧୯ ରୋଗୀଙ୍କ ପାଇଁ ବଡି ବ୍ୟାଗ୍‌ ଅନ୍ୟମାନଙ୍କୁ ୨,୦୦୦ ଟଙ୍କାରେ ଯୋଗାଉଥିବା ବେଳେ ସେହି କମ୍ପାନି ବ୍ରିହନମୁମ୍ବାଇ ମହାନଗର ନିଗମ (ବିଏମ୍‌ସି)ର କେନ୍ଦ୍ରୀୟ କ୍ରୟ ବିଭାଗକୁ ୬,୮୦୦ ଟଙ୍କାରେ ବଡି ବ୍ୟାଗ୍‌ ଯୋଗାଉଥିଲା। ମହାରାଷ୍ଟ୍ରର ଶୀର୍ଷ ପ୍ରଶାସନିକ ଅଧିକାରୀ ସଞ୍ଜୀବ ଜୟସଓ୍ଵାଲ କୋଭିଡ ୍‌ ଆରମ୍ଭ ହେବା ସମୟରେ ବିଏମ୍‌ସିର ଅତିରିକ୍ତ କମିସନର ଥିଲେ। ୨୦୨୦ରେ ବିଏମ୍‌ସିକୁ କିଛି ଠିକା ଦେବାରେ ମଧ୍ୟ ତାଙ୍କର ଭୂମିକା ନେଇ ଏବେ ଅନୁସନ୍ଧାନ କରାଯାଉଛି। ଇଡି ଜୟସ୍‌ଓ୍ଵାଲ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ୧୦୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି କାଗଜପତ୍ର ପାଇଥିଲା। ଏହି ସମ୍ପତ୍ତି ତାଙ୍କ ଶ୍ୱଶୁରଙ୍କ ଠାରୁ ଉପହାର ଥିଲା, ଯିଏକି ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଯିଏ କି ଆୟକର ବିଭାଗର ମୁଖ୍ୟ କମିଶନର ମଧ୍ୟ ଥିଲେ ବୋଲି ଜୟସ୍‌ଓ୍ଵାଲ ଦାବି କରିଛନ୍ତି। କୋଭିଡ୍‌ ସେଣ୍ଟର ଦୁର୍ନୀତି ମାମଲାରେ ଇଡିର ତଦନ୍ତ ପରେ ଜୁଲାଇ ୧୪ତାରିଖରେ ସଞ୍ଜୀବ ଜୟସ୍‌ଓ୍ଵାଲଙ୍କୁ ଶ୍ରୀଲଙ୍କାର କଲମ୍ବୋ ଯିବାକୁ ବାରଣ କରାଯାଇଥିଲା। ଜୁନ୍‌ ୩୦ରେ ଇଡି ଜୟସ୍‌ଓ୍ଵାଲ୍‌ଙ୍କୁ ପଚରାଉଚରା କରିଥିଲା ଏବଂ ତାଙ୍କୁ ପୁଣି ଥରେ ପଚରାଉଚରା ପାଇଁ ଡକାଯାଇପାରେ।

Leave a Reply

Your email address will not be published. Required fields are marked *