ଏୟାର ଇଣ୍ଡିଆ ବିମାନରେ ହଙ୍ଗାମା, ମଝି ଆକାଶରେ ଏଆଇ ଅଧିକାରୀଙ୍କୁ ଚାପୁଡା ମାରିଲେ ଯାତ୍ରୀ
ପୁଣି ଏୟାର ଇଣ୍ଡିଆ ବିମାନରେ ହଙ୍ଗାମା । ସିଡନୀରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ବିମାନର ବରିଷ୍ଠ ଅଧିକାରୀଙ୍କୁ ଚାପୁଡା ମାରିବା ସହିତ ଆକ୍ରମଣ କରିଛନ୍ତି । ବିମାନ ଦିଲ୍ଲୀରେ ଅବତରଣ କରିବା ପରେ ଯାତ୍ରୀଙ୍କୁ ସୁରକ୍ଷା ଏଜେନ୍ସିକୁ ହସ୍ତାନ୍ତର ପରେ କ୍ଷମା ମାଗିଥିଲେ।
ଖବର ମୁତାବକ, ସିଟରେ ସମସ୍ୟା ଥିବା ଯୋଗୁଁ ବିଜନେସ କ୍ଲାସରେ ଯାତ୍ରା କରିବାକୁ ଥିବା ଜଣେ ଯାତ୍ରୀଙ୍କୁ ଇକୋନୋମି କ୍ଲାସରେ ବସିବାକୁ କୁହାଯାଇଥିଲା । ଆଉ ଏହାକୁ ନେଇ ଯାତ୍ରୀ ଜଣକ ଉତକ୍ଷିପ୍ତ ହୋଇ ଏୟାର ଇଣ୍ଡିଆର ଅଧିକାରୀଙ୍କ ସହ ଅଭଦ୍ରାମୀ କରି ଆକ୍ରମଣ କରିଥିଲେ ।
ଏୟାର ଇଣ୍ଡିଆ ଅଧିକାରୀଙ୍କୁ ୩୦-ସି ସିଟ୍ ଦିଆଯାଇଥିଲା, କିନ୍ତୁ ସେଠାରେ ଅନ୍ୟ ଯାତ୍ରୀ ଥିଲେ ତେଣୁ ସେ ସିଟ୍ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ତାଙ୍କୁ ୨୫ ଏବିସି ସିଟ୍ ଦିଆଯାଇଥିଲା । ତେବେ ଏଆଇ(ଏୟାର ଇଣ୍ଡିଆ) ଅଧିକାରୀ ତାଙ୍କ ସହ-ଯାତ୍ରୀଙ୍କୁ ଉଚ୍ଚ ସ୍ୱର ପାଇଁ ତାଗିଦ କରିବା ଆରମ୍ଭ କରିଥିଲେ। କିନ୍ତୁ ତାଙ୍କ ପାଖରେ ବସିଥିବା ଯାତ୍ରୀ ତାଙ୍କୁ ଚାପୁଡ଼ା ମାରିଥିଲେ।
ଏୟାର ଇଣ୍ଡିଆର ଏଆଇ-୩୦୧ ବିମାନରେ ଜଣେ ଯାତ୍ରୀଙ୍କୁ ବାରମ୍ବାର କୁହାଯାଇଥିଲେ ବି ସେ ଉଡ଼ାଣ ସମୟରେ ଅସଭ୍ୟଙ୍କ ଭଳି ବ୍ୟବହାର କରିଥିଲେ । ଫଳରେ ଅନ୍ୟ ଯାତ୍ରୀଙ୍କୁ ଅସୁବିଧାର ସାମ୍ନା କରିଥିଲେ। ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ କହିଛନ୍ତି ଯେ, ବିମାନଟି ସୁରକ୍ଷିତ ଭାବେ ଦିଲ୍ଲୀରେ ଅବତରଣ କରିବା ପରେ ଯାତ୍ରୀଙ୍କୁ ସୁରକ୍ଷା ଏଜେନ୍ସିକୁ ହସ୍ତାନ୍ତର କରାଯାଇଥିଲା ଏବଂ ପରେ ଯାତ୍ରୀ କ୍ଷମା ମାଗିଥିଲେ। ଏହାସହ ଡିଜିସିଏକୁ ଏହି ଘଟଣା ସମ୍ପର୍କରେ ଅବଗତ କରାଯାଇଛି ଏବଂ ଏହା ବିରୋଧରେ ଏୟାରଲାଇନ୍ସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି।
ସୂଚନାଯୋଗ୍ୟ, ପୂର୍ବରୁ ଟରୋଣ୍ଟୋରୁ ଉଡାଣ ଭରିବା ପରେ ଏୟାର ଇଣ୍ଡିଆ ଉଡାଣ ଏ-୧୮୮ରେ ଜଣେ ଯାତ୍ରୀ କ୍ୟାବିନ କ୍ରୁଙ୍କ ସହିତ ଦୁର୍ବ୍ୟବହାର କରିବା ପରେ ଶୌଚାଳୟର କବାଟ ଭାଙ୍ଗି ଦେଇଥିଲେ । ଏହାକୁ ନେଇ ଏୟାର ଇଣ୍ଡିଆ ପକ୍ଷରୁ ଜଣେ ନେପାଳୀ ନାଗରିକଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା ।