ପଶ୍ଚିମବଙ୍ଗରେ ପୁଣି ନିର୍ବାଚନୀ ହିଂସା; ଜଣେ ମୃତ
କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଥମିବାର ନାଁ ନେଉନି । ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ପୁଣି ଉଗ୍ରରୂପ ନେଇଛି । ଦକ୍ଷିଣ ୨୪ ପ୍ରଗଣାର ଭଙ୍ଗୋରରେ ହିଂସା ଘଟଣା ସାମ୍ନାକୁ ଆସିଛି । ହିଂସାରେ ଜଣେ ଇଣ୍ଡିଆନ ସେକ୍ୟୁଲାର ଫ୍ରଣ୍ଟ(IFS)ର କର୍ମକର୍ତ୍ତାଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ବୋମା ବିସ୍ଫୋରଣ ସହ ଗୁଳି ବିନିମୟ ଘଟିଛି । ଗୁଳିମାଡରେ ଆଡିସିନାଲ ଏସପିଙ୍କର ମୃତ୍ୟୁ ଘଟିଛି ।
ଭୋଟ ଗଣତି ସମୟରେ ଗୋଟିଏ ବୁଥରେ IFS ପ୍ରାର୍ଥୀ ଆଗରେ ଥିଲେ । ହେଲେ ଶେଷ ରାଉଣ୍ଡରେ ସେ ହାରି ଯାଇଥିଲେ । ଏହାକୁ ନେଇ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା । ପରେ ଏହି ହିଂସାରୂପ ନେଇଥିଲା ।
ଏଠାରେ କହିରଖିବୁ, ଶନିବାର ୭୪ ହଜାର ପଞ୍ଚାୟତରେ ମତଦାନ କରାଯାଉଥିଲା । ଏହି ସମୟରେ ହିଂସାକାଣ୍ଡ ଘଟିବା ସହ ପୋଲିଂ ବୁଥରେ ମାରପିଟ, ବୁଥ କାପ୍ଚରିଂ କରାଯାଇଥିଲା । ଏହାପରେ ୧୯ ଜିଲ୍ଲାରେ ସକାଳ ୭ଟାରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ପୁଣିଥରେ ମତଦାନ କରାଯାଇଥିଲା । କଡା ସୁରକ୍ଷା ମଧ୍ୟରେ ଏହି ମତଦାନ କରାଯାଇଥିଳା ।
ବିଶେଷ କରି ମୁର୍ଶିଦାବାଦ, କୁଚବିହାର, ଉତ୍ତର ଏବଂ ଦକ୍ଷିଣ ୨୪ ପ୍ରଗଣାରେ ନିର୍ବାଚନୀ ହିଂସା ବେଶି ଦେଖିବାକୁ ମିଳିଛି । କୁଚବିହାରରେ ଟିଏମସି କର୍ମକର୍ତ୍ତାମାନେ ବାଲାଟ ବକ୍ସ ଭାଙ୍ଗି ଦେଇଛନ୍ତି । ସେଥିରେ ପାଣି ପକାଇ ନିଆଁ ଲଗାଇ ଦେଇଛନ୍ତି । ଏହି ହିଂସାରେ ପୂର୍ବରୁ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିଲା ।