ଗଙ୍ଗୋତ୍ରୀ ରାଜପଥରେ ପାହାଡ଼ ଉପରୁ ଧସିଲା ପଥର, ଚାପିହୋଇ ୪ ତୀର୍ଥଯାତ୍ରୀଙ୍କ ମୃତ୍ୟୁ
ଉତ୍ତରାଖଣ୍ଡର ଗଙ୍ଗନାନୀ ନିକଟରେ ଗଙ୍ଗୋତ୍ରୀ ରାଜପଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୪ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। କୁହାଯାଉଛି କି, ପ୍ରବଳ ବର୍ଷା ହେତୁ ପାହାଡ଼ ଉପରୁ ପଥର ଖଣ୍ଡ ଓ ମାଟି ଅତଡ଼ା ତଳକୁ ଖସିଥିଲା। ଫଳରେ ଏହି ଭଗ୍ନାବଶେଷ ତଳେ ୩ ଗାଡ଼ି ଚାପି ହୋଇଯାଇଥିଲା। ଏଥିରେ ଥିବା ମଧ୍ୟ ପ୍ରଦେଶର ୪ ତୀର୍ଥଯାତ୍ରୀ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।
ଉତ୍ତରକାଶୀ ଜିଲ୍ଲା ଭଟଓ୍ଵାଡି ଉପ ଜିଲ୍ଲାଧିକାରୀ ଚତର ସିଂ ଚୌହାନ କହିଛନ୍ତି ଯେ ସୋମବାର ରାତିରେ ଗଙ୍ଗୋତ୍ରୀ ଜାତୀୟ ରାଜପଥରେ ଗଙ୍ଗନାନୀ ବ୍ରିଜ୍ ନିକଟରେ ପାହାଡ଼ ଉପରୁ ପଥର ଓ ମାଟି ଖଣ୍ଡ ଧସି ପଡ଼ିଥିଲା। ଫଳରେ ୪ ଯାତ୍ରୀ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ।
ଚୌହାନ କହିଛନ୍ତି, ଘଟଣାର ସୂଚନା ମିଳିବା କ୍ଷଣି ପୋଲିସ ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ତୁରନ୍ତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଏବଂ ସୀମା ସଡ଼କ ସଙ୍ଗଠନର ଶ୍ରମିକମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।
ଅଧିକାରୀଙ୍କ ମୁତାବକ, ଘଟଣାରେ ପ୍ରାଣ ହରାଇଥିବା ୪ ତୀର୍ଥଯାତ୍ରୀଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ଏକ ମୃତଦେହକୁ ବାହାର କରିବା ପାଇଁ ପ୍ରୟାସ କରାଯାଉଛି। ୪ ମୃତକ ମଧ୍ୟ ପ୍ରଦେଶର ନିବାସୀ। ସେପଟେ ଘଟଣାରେ ଆହତ ହୋଇଥିବା ୧୦ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।