ଉତ୍ତର ଭାରତରେ ବର୍ଷା ବିତ୍ପାତ
ଉତ୍ତର ଭାରତରେ ପ୍ରକୃତିର ଭୟଙ୍କର ରୂପ । ବର୍ଷା ଆଣିଛି ବନ୍ୟା । ଦୁଇ ଦିନ ହେବ ବିଭିନ୍ନ ରାଜ୍ୟରେ ସାଂଘାତିକ ସ୍ଥିତି । ଦିଲ୍ଲୀଠାରୁ ଆରମ୍ଭ କରି ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ହରିଆଣା, ପଞ୍ଜାବ, ରାଜସ୍ଥାନ ଓ ଜମ୍ମୁ କାଶ୍ମୀରର ଅଧିକାଂଶ ଅଞ୍ଚଳରେ ଜଳପ୍ରଳୟ ସୃଷ୍ଟି ହୋଇଛି । ହିମାଚଳ ଓ ଉତ୍ତରାଖଣ୍ଡରେ ବର୍ଷାର ତାଣ୍ଡବ । ଭୟଙ୍କର ବନ୍ୟା ସାଙ୍ଗକୁ ଭୂସ୍ଖଳନ ହୋଇଛି ।
ବିଭିନ୍ନ ନଦୀର ପ୍ରଖର ସ୍ରୋତରେ ଭାସି ଯାଉଛି ଗାଡ଼ିମୋଟର ଓ ଘରଦ୍ୱାର । ଧୋଇ ଯାଉଛି ବ୍ରିଜ୍ ଓ ରାସ୍ତାଘାଟ । ପାଣିଘେରରେ ଘରଦ୍ୱାର । ଚାରିଆଡେ ଜଳ ପ୍ରଳୟର ବିଭୀଷିକା । ହିମାଚଳ ପ୍ରଦେଶରେ ରବି, ବିସ୍, ସତଲୁଜ, ସ୍ୱାନ ଓ ଚେନାବ ନଦୀରେ ଫ୍ଲାସ ଫ୍ଲଡ୍ ଆସିଛି । ମନାଲି, କୁଲ୍ଲ, କିନାଉର ଓ ଚାମ୍ବାରେ ଅବସ୍ଥା ବେହାଲ । ମଣ୍ଡିରେ ଧ୍ୱଂସଲୀଳା ରଚିଛି ବନ୍ୟା । ବ୍ୟାପକ କ୍ଷୟକ୍ଷତି ହୋଇଛି । ଆଜି ପାଇଁ ହିମାଚଳପ୍ରଦେଶ, ଉତ୍ତରାଖଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବିଭିନ୍ନ ସ୍ଥାନରେ ଏନଡିଆରଏଫ, ଏସଡିଆରଏଫ ଏବଂ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ଲାଗିଛି । ଭୂସ୍ଖଳନ ଯୋଗୁଁ ରାସ୍ତା ଏବଂ ଘର ସବୁକିଛି କ୍ଷତିଗ୍ରସ୍ତ ହୋଇଛି ।
ଦିଲ୍ଲୀରେ ବିପଦ ସଂକେତ ଉପରେ ଯମୁନା ନଦୀ ପ୍ରବାହିତ ହେଉଛି । ଯମୁନା ନଦୀରେ ବିପଦ ସଙ୍କେତ ସ୍ତର ୨୦୫.୩୩ ମିଟର ରହିଥିବା ବେଳେ ଏବେ ଜଳସ୍ତର ରହିଛି ୨୦୬.୨୪ ମିଟର । ଫଳରେ ଯମୁନା ନଦୀର ତଳିଆ ଅଞ୍ଚଳକୁ ବିପଦ ବଢିଛି । ଆଜି ପୁଣି ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଥିବାରୁ ରାଜଧାନୀକୁ ବନ୍ୟା ବିପଦ ବଢିଛି । ବର୍ତ୍ତମାନ ସୁଦ୍ଧା ବର୍ଷାଜନିତ ଅଘଟଣରେ ୩୭ ଜଣଙ୍କର ଜୀବନ ଗଲାଣି ।
ଦିଲ୍ଲୀରେ ଲଗାତାର ବର୍ଷା ହେବା ଯୋଗୁଁ କେଜ୍ରିଓ୍ଵାଲ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ସେହିପରି ପଞ୍ଜାବରେ ସ୍କୁଲ ବନ୍ଦ କରିଦିଆଇଛି । ହରିୟାଣାରେ ମୁଖ୍ୟମନ୍ତ୍ରୀ ଆପତ୍ତକାଳୀନ ବୈଠକ କରି ଏନଡିଆରଏଫ ଟିମ୍କୁ ଡାକିବାକୁ ନିଷ୍ପତ୍ତି ନେଇଛନ୍ତି ।