ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଅସୁସ୍ଥ, ହସପିଟାଲରେ ଭର୍ତ୍ତି
ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ବିଗିଡିଲା ସ୍ୱାସ୍ଥ୍ୟାବସ୍ଥା । ତାଙ୍କୁ ଭଟିଣ୍ଡା ଜେଲରୁ ଫରିଦକୋଟର ଗୁରୁ ଗୋବିନ୍ଦ ସିଂ ମେଡିକାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ବିଷ୍ନୋଇଙ୍କ ପେଟରେ ସଂକ୍ରମଣ ଯୋଗୁଁ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିବା କୁହାଯାଉଛି । ଏହାଛଡା ତାଙ୍କୁ ଜ୍ୱର ଥିଲା ବୋଲି ଲରେନ୍ସଙ୍କ ଓକିଲ କହିଛନ୍ତି ।
ଓକିଲ କହିଛନ୍ତି, ଜୁଲାଇ ୪ ତାରିଖରୁ ଲରେନ୍ସ ଶ୍ରାବଣ ଉପବାସ କରିଥିଲେ । ଏହି ସମରେ ଜଣ୍ଡିସରେ ଆକ୍ରାନ୍ତ ହୋଇଥିଲେ । ଯେଉଁଥିପାଇଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ତାଙ୍କୁ ତରନ୍ତ ଜେଲରୁ ହସପିଟାଲରେ ଆଡମିଟ୍ କରାଯାଇଥିଲା । ସ୍ପେଶାଲ ଓ୍ଵାର୍ଡରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଛନ୍ତି ଲରେନ୍ସ ।
ଏହାଛଡା ଗତ କିଛିଦିନ ହେଲାଣି ଜ୍ୱରରେ ପୀଡିତ ଥିଲେ ଲରେନ୍ସ । ଔଷଧ ଖାଇବା ପରେ ମଧ୍ୟ ଏହାର କୌଣସି ପ୍ରଭାବ ପଡୁନଥିଲା । ପେଟରେ ସଂକ୍ରମଣ ହୋଇଥିବା ଅନୁମାନ କରାଯାଉଛି । ଜଣ୍ଡିସ ହୋଇଥିବା ମଧ୍ୟ କୁହାଯାଉଛି । ଦେହ ଅଧିକ ଅସୁସ୍ଥ ହେବା କାରଣରୁ ଫରିଦକୋଟର ମେଡିକାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଜେଲରୁ ହସପିଟାଲ ପର୍ଯ୍ୟନ୍ତ ରାସ୍ତା ନାକାବନ୍ଦୀ କରିଛି ପୋଲିସ ।
ସୂଚନାଯୋଗ୍ୟ, ଲରେନ୍ସ ବିଷ୍ନୋଇ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ଵାଲାଙ୍କୁ ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ବୋଲି ପୋଲିସ ଯାଞ୍ଚରୁ ଜାଣିବାକୁ ପାଇଛି । ସେହିପରି ବାରମ୍ବାର ସଲମାନଙ୍କୁ ଧମକ ମିଳୁଥିବା ଘଟଣାରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ହାତ ଥିବା କୁହାଯାଉଛି ।