ପୁନଃ ମତଦାନ ଦିନ ହିଂସାର ବଡ଼ ଯୋଜନା ପଣ୍ଡ; ଜବତ ହେଲା ୩୫ ଦେଶୀ ବୋମା
ପଶ୍ଚିମବଙ୍ଗରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ମତଦାନ ଦିନ ଏହି ହିଂସା ଭୟଙ୍କର ରୂପ ଧାରଣ କରିଥିଲା। ଅନେକ ସ୍ଥାନରେ ବାଲାଟ ବାକ୍ସରେ ନିଆଁ ଲଗାଇ ଦିଆଯାଇଥିଲା। ନିର୍ବାଚନ ଅଧିକାରୀଙ୍କ ସହ ମଧ୍ୟ ମାରପିଟର ଖବର ସାମ୍ନାକୁ ଆସିଥିଲା।
ହିଂସାରେ ଅନେକ ଲୋକଙ୍କର ମୃତ୍ୟୁ ହେବା ପରେ ରାଜ୍ୟ ନିର୍ବାଚନ କମିଶନ ସୋମବାର ୬୯୭ଟି ବୁଥରେ ପୁନଃ ମତଦାନ ଘୋଷଣା କରିଥିଲେ। କିନ୍ତୁ କିଛି ସାମାଜିକ ବ୍ୟକ୍ତି ଆଜି ମଧ୍ୟ ହିଂସାର ପୂରା ଯୋଜନା ପ୍ରସ୍ତୁତ କରିଥିଲେ। ହେଲେ ସୁରକ୍ଷା ବାହିନୀ ସେମାନଙ୍କ ଯୋଜନାକୁ ପଣ୍ଡ କରିଦେଇଛନ୍ତି।
ମୁର୍ସିଦାବାଦର ବେଲଡାଙ୍ଗା ଅଞ୍ଚଳରେ ଏକ ପୋଖରୀ ଏବଂ ଏକ ଚାଷଜମିରେ ଦେଶୀ ବୋମା ଥିବା ନେଇ ସୁରକ୍ଷା ବାହିନୀଙ୍କୁ ସୂଚନା ମିଳିଥିଲା। ଏହାପରେ ତୁରନ୍ତ ଘଟଣାସ୍ଥଳକୁ ବୋମା ନିଷ୍କ୍ରିୟକାରୀ ଦଳକୁ ପଠାଯାଇଥିଲା। ସେମାନେ ପୋଖରୀ ଏବଂ ଚାଷଜମିରୁ ୩୫ଟି ଦେଶୀ ବୋମା ଜବତ କରିଛନ୍ତି। ଟିମ୍ ସେଗୁଡ଼ିକୁ ସେଠାରେ ନିଷ୍କ୍ରିୟ କରିଦେଇଛି। ତେବେ ଏହି ବୋମାଗୁଡ଼ିକୁ ସେଠାକୁ କିଏ ଆଣିଲା, ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି।
କହି ରଖୁଛୁ, ଜୁନ୍ ୫ରେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଘୋଷଣା ପରେ ପରେ ରାଜ୍ୟରେ ରକ୍ତାକ୍ତ ସଂଘର୍ଷ ଆରମ୍ଭ ହୋଇଥିଲା। ନିର୍ବାଚନ ପ୍ରଚାରଠାରୁ ଆରମ୍ଭ କରି ମତଦାନ ପର୍ଯ୍ୟନ୍ତ ହିଂସା, ବୋମା ବିସ୍ଫୋରଣ, ରକ୍ତାକ୍ତ ସଂଘର୍ଷ ଜାରି ରହିଥିଲା। ଗତ ୩୦ ଦିନ ମଧ୍ୟରେ ନିର୍ବାଚନୀ ହିଂସାରେ ପ୍ରାୟ ୪୦ ଜଣଙ୍କର ମୃତ୍ୟୁ ଘଟିଛି। ଶତାଧିକ ଲୋକ ଆହତ ହୋଇଛନ୍ତି। ହିଂସାକୁ କାବୁ କରିବା ପାଇଁ ହାଇକୋର୍ଟ ନିର୍ବାଚନ ଆୟୋଗଙ୍କୁ ସାରା ରାଜ୍ୟରେ କେନ୍ଦ୍ରୀୟ ଅର୍ଦ୍ଧସୈନିକ ବଳ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।