ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଗଲା ଘରୋଇ ବିମାନ; ୬ ମୃତ
ଲସ୍ଏଞ୍ଜେଲ୍ସ୍: ଶନିବାର ଦିନ ଆମେରିକାର ଲସ୍ଏଞ୍ଜେଲସ୍ ବିମାନ ବନ୍ଦର ନିକଟ ପଡ଼ିଆରେ ଗୋଟାଏ ଘରୋଇ କ୍ଷୁଦ୍ର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ପୋଡ଼ିଯିବାରୁ ସେଥିରେ ଥିବା ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ସ୍ଥାନୀୟ ଓ କେନ୍ଦ୍ରୀୟ ସରକାରୀ ଅଧିକାରୀମାନେ କହିଛନ୍ତି।
ଜାରି କରିଥିବା ବିବୃତିରେ ‘ଫେଡେରାଲ୍ ଏଭିସନ୍ ଆଡ୍ମିନିଷ୍ଟ୍ରେସନ୍ କହିଛି, ଲାସ୍ ଭେଗାସ୍ର ହ୍ୟାରି ରିଡ୍ ବିମାନ ବନ୍ଦରରୁ ଯାତ୍ରା ଆରମ୍ଭ କରିଥିବା ‘କେସ୍ନା ସି୫୫୦’ ବିଜ୍ନେସ୍ ଜେଟ୍ଟି ଭୋର୍ ପ୍ରାୟ ୪.୧୫ରେ ଲସ୍ଏଞ୍ଜେଲ୍ସ୍ର ଦକ୍ଷିଣକୁ ପ୍ରାୟ ୮୫ କିଲୋମିଟର୍ ଦୂରରେ ଅବସ୍ଥିତ ରିଭର୍ସାଇଡ୍ କାଉଣ୍ଟି ଅନ୍ତର୍ଗତ ଫ୍ରେଞ୍ଚ୍ ଭେଲି ବିମାନ ବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଲାସ୍ ଭେଗାସ୍ରୁ ୪୫ ମିନିଟ୍ ଉଡ଼ାଣ ଦୂରରେ ଥିବା ମ୍ୟୁରିଏଟା ଅଭିମୁଖେ ଯାତ୍ରା କରୁଥିଲା।
ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀ ଓ ପାଇଲଟ୍ମାନେ ପ୍ରାପ୍ତ ବୟସ୍କ ଥିଲେ ବୋଲି ‘ନ୍ୟାସ୍ନାଲ୍ ଟ୍ରାନ୍ସ୍ପୋର୍ଟେସନ୍ ସେଫ୍ଟି ବୋର୍ଡ’ର ଏଭିଏସନ୍ ତଦନ୍ତକାରୀ ଏଲିଅଟ୍ ସିମ୍ପ୍ସନ୍ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି।
ଆକାଶର ସ୍ବଳ୍ପ ଉଚ୍ଚରେ ବାଦଲ ଯୋଗୁଁ ଦୃଶ୍ୟତା ଖୁବ୍ କମ୍ ଥିଲା। ସେଥିପାଇଁ ପାଇଲଟ୍ କେବଳ ‘ଇନ୍ଷ୍ଟ୍ରୁମେଣ୍ଟ୍’ର ଉପଯୋଗ କରି ଅବତରଣ କରାଉଥିବା ବେଳେ ଏହି ଜେଟ୍ ବିମାନଟି ରନ୍ୱେଠାରୁ ୩୦୦ ଫୁଟ୍ ଉଚ୍ଚରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଲାଞ୍ଜ ଭାଗକୁ ଛାଡ଼ି ଦେଲେ ବିମାନର ଅଧିକାଂଶ ନିଆଁରେ ପୋଡ଼ି ନଷ୍ଟ ହୋଇଯାଇଛି। ତଦନ୍ତକାରୀମାନେ ୬୦ ମିଟର ପରିବ୍ୟାପ୍ତ ଅଞ୍ଚଳରେ ପଡ଼ିଥିବା ବିମାନର ଭଗ୍ନାଂଶଗୁଡ଼ିକୁ ତଲାସ କରୁଛନ୍ତି।