ଆଫଗାନିସ୍ତାନରେ ବନ୍ଦ ହେବ ବିଉଟି ପାର୍ଲର

Spread the love

କାବୁଲ:ଆଫଗାନିସ୍ତାନରେ ଦିନକୁ ଦିନ ତାଲିବାନି ଶାସନର ନିର୍ଯାତନା ବଢୁଛି । ବିଶେଷକରି ତାଲିବାନି ଶାସନରେ ମହିଳାମାନଙ୍କ ଜୀବନ ଦୁର୍ବିସହ ହୋଇ ପଡୁଛି । ମହିଳାମାନଙ୍କ ପ୍ରତି ତାଲିବାନି ଶାସକ କଠୋର ମନୋବୃତ୍ତିକୁ ସାରା ବିଶ୍ୱରେ ନିନ୍ଦା କରାଯାଉଛି । ଏବେ ତାଲିବାନି ଶାସନର  ଆଉ ଏକ କଳାକାରନାମା ସାମ୍ନାକୁ ଆସିଛି । ଦେଶର ରାଜଧାନୀ କାବୁଲ ତଥା ଅନ୍ୟ ପ୍ରାନ୍ତରେ ଥିବା ମହିଳା ବିଉଟି ପାର୍ଲର ବନ୍ଦ କରିବାକୁ କଡା ନିର୍ଦ୍ଦେଶ ଜାରି କରିଛି ତାଲିବାନ ସରକାର । ମୌଖିକ ଭାବେ ଏହି ଆଦେଶ ଦିଆ ଯାଇଛି ।

ନ୍ୟୁଜ ଏଜେନ୍ସି ଏଏନଆଇର କହିବା ଅନୁଯାୟୀ, ତାଲିବାନର ‘ଅପପ୍ରଚାର ରୋକିବା ଏବଂ ସଦାଚାର ବାଣ୍ଟିବା’ ମନ୍ତ୍ରାଳୟର ପ୍ରବକ୍ତା ମୋହମ୍ମଦ ଆକିଫ ମହାଜର କହିଛନ୍ତି, କାବୁଲ ନଗରପାଳିକାକୁ ଏହି ନିର୍ଦ୍ଦେଶ ଜଣାଇ ଦିଆ ଯାଇଛି । ଏ ନେଇ ନଗରପାଳିକାକୁ  ନୂଆ ଆଦେଶନାମା ଜାରି କରିବା ତଥା ମହିଳାଙ୍କ ବିଉଟି ପାର୍ଲର ଲାଇସେନ୍ସ ରଦ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି  । ଏହି ନୂଆ ଆଇନ ଅନୁଯାୟୀ, ମହିଳାମାନେ ଆଉ ବିଉଟି ପାର୍ଲର ଖୋଲି ପାରିବେ ନାହିଁ କି ବିଉଟି ପାର୍ଲରରେ କାମ କରିପାରିବେ ନାହିଁ ।

ମେକଅପ ଆର୍ଟିଷ୍ଟ ରେହାନ ମୁବାରିଜ କହିଛନ୍ତି, ପୁରୁଷ ବେରୋଜଗାର ହେଲେ ମହିଳାଙ୍କୁ ରୋଜଗାର କରିବାକୁ ପଡିବ । ଘର ଚଳାଇବାକୁ ପଡିବ । ସେଥିପାଇଁ ପେଟପାଟଣା ଲାଗି ମହିଳାଙ୍କୁ ସେଲୁନରେ କାମ କରିବାକୁ ପଡୁଛି । ହେଲେ ଏହାକୁ ବନ୍ଦ କରିଦେଲେ ଆମେ କରିବୁ କ’ଣ ?

ଅନ୍ୟ ଜଣେ ମେକଅପ ଆାର୍ଟିଷ୍ଟ କହିଛନ୍ତି, ଯଦି ପରିବାରର ପୁରୁଷଙ୍କ ପାଖରେ ଚାକିରି ଅଛି ତେବେ ଆମକୁ ଘରୁ ବାହାରିବା ଦରକାର ପଡିବ ନାହିଁ । ହେଲେ ପୁରୁଷଙ୍କ ପାଖରେ ରୋଜଗାର ନ ଥିଲେ ଆମେ କରିବୁ କ’ଣ ? ଉପବାସରେ ମରିବୁ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

କାବୁଲର ଜଣେ ବାସିନ୍ଦା ଅବଦୁଲ ଖବୀର କହିଛନ୍ତି, ସରକାରଙ୍କୁ ଏଥିପାଇଁ ଏକ ନୂଆ ରୂପରେଖ ପ୍ରସ୍ତୁତ କରିବାକୁ ପଡିବ । ଏହି ନୂଆ ରୂପରେଖ ଏମିତି ହେବ ଯଦ୍ୱାରା ଇସଲାମର କ୍ଷତି ହେବନି କି ଦେଶର ବି କ୍ଷତି ହେବନି ।

ସୂଚନାଥାଉ କି, ୨୦୨୧ରେ ତାଲିବାନ ଆଫଗାନିସ୍ତାନ  ନିଜ ଦଖଲକୁ ନେବା ପରେ ମହିଳାଙ୍କ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଇଛି । ଏପରିକି ମହିଳା ଓ ଯୁବତୀମାନଙ୍କ ସ୍କୁଲ, କଲେଜ ଯିବା, ବେସରକାରୀ ସଂସ୍ଥାରେ କାମ କରିବା ସହ ପାର୍କ, ସିନେମା ଯିବାରେ ବି ଅଙ୍କୁଶ ଳଗାଇଛନ୍ତି ତାଲିବାନି ଶାସକ ।

Leave a Reply

Your email address will not be published. Required fields are marked *