ଆମେରିକା ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚୀନ
ମିଳିତ ଜାତିସଂଘରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ନିକ୍କି ହେଲି ବଡ଼ ବୟାନ ଦେଇଛନ୍ତି। ୨୦୨୪ରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ନିକ୍କି ନିଜର ଦାବି ଉପସ୍ଥାପନ କରିଛନ୍ତି। ନିକଟରେ ସେ ଆମେରିକାକୁ ଚେତାବନୀ ଦେଇ କହିଛନ୍ତି କି, ଚୀନ ଆମେରିକା ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି।
ନିକ୍କି ଦାବି କରିଛନ୍ତି ଯେ ଚୀନ ଦଶନ୍ଧି ଧରି ଆମେରିକା ବିରୋଧରେ ଯୁଦ୍ଧ ପ୍ରସ୍ତୁତି କରୁଛି। ଏଥିପାଇଁ ଚୀନ ନିଜର ସୈନ୍ୟ ଶକ୍ତି ବଢ଼ାଉଛି। ଏହାପୂର୍ବରୁ ଆମେରିକାର ବାୟୁସେନା ଜେନେରାଲ ମାଇକ ମିନିହାନ ଓ ସାଂସଦ ମାଇକେଲ ମ୍ୟାକକାଲ ମଧ୍ୟ ସମାନ ପ୍ରସଙ୍ଗରେ ଆମେରିକା ସରକାରଙ୍କୁ ସତର୍କ କରାଇଛନ୍ତି। ଉଭୟ କହିଛନ୍ତି ଯେ ଚୀନ ଆମେରିକା ବିରୋଧରେ ଯୁଦ୍ଧ ପ୍ରସ୍ତୁତି କରୁଛି ଏବଂ ୨୦୨୫ ସୁଦ୍ଧା ଏହା ଆମେରିକା ବିରୋଧରେ ଯୁଦ୍ଧ ଲଢ଼ିପାରେ।
କହି ରଖୁଛୁ, ଆମେରିକା ଏବଂ ଚୀନ ଦୁଇ ବୃହତ୍ ମହାଶକ୍ତି। ପ୍ରାୟତଃ ଉଭୟଙ୍କ ମଧ୍ୟରେ ତିକ୍ତତା ସାମ୍ନାକୁ ଆସିଥାଏ। ଉଭୟେ ପରସ୍ପରର କ୍ଷତି କରିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଏବେ ଦକ୍ଷିଣ କାରୋଲିନାର ଦୁଇ ଥରର ଗଭର୍ଣ୍ଣର ନିକ୍କି ହେଲି ନିଜ ବୟାନରେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି।
ନିକ୍କି ଆମେରିକାର ରିପବ୍ଲିକ୍ ପାର୍ଟିର ସଦସ୍ୟ। ସେ କ୍ରମାଗତ ତିନିଟି ନିର୍ବାଚନରେ ଆମେରିକା ରାଷ୍ଟ୍ରପତି ଦୌଡ଼ରେ ସାମିଲ ହୋଇଥିବା ତୃତୀୟ ଭାରତୀୟ-ଆମେରିକୀୟ।