ବୁଡାଜାହାଜ ଟାଇଟନରେ ସରି ସରି ଆସୁଛି ଅକ୍ସିଜେନ: କ୍ଷୀଣ ହୋଇ ଯାଉଛି ଯାତ୍ରୀଙ୍କୁ ଜୀବିତ ଉଦ୍ଧାର କରିବାର ଆଶା

Spread the love

ନୂଆଦିଲ୍ଲୀ : ରହସ୍ୟ ହୋଇ ରହିଯିବ କି ବୁଡାଜାହାଜ ଟାଇଟନ୍‌। ଆଟଲାଣ୍ଟିକ ମହାସାଗରର ଅଥଳ ଜଳରାଶିରେ ଚାଲିଥିବା ସର୍ଚ୍ଚ ଅପରେସନରୁ ମିଳୁନି କୌଣସି ସଫଳତା। କ୍ଷୀଣ ହୋଇ ଆସୁଛି ଯାତ୍ରୀଙ୍କୁ ଜୀବିତ ଉଦ୍ଧାର କରିବାର ଆଶା। ସରି ସରି ଆସୁଛି ଅକ୍ସିଜେନ। ଜାହାଜରେ ଆଉ ମାତ୍ର କିଛି ଘଣ୍ଟା ପାଇଁ ଅକ୍ସିଜେନ ମହଜୁଦ ଅଛି। ରବିବାରଠାରୁ ବୁଡାଜାହାଜ ସହିତ କୌଣସି ଯୋଗାଯୋଗ ହୋଇପାରୁନି।

ଏପଟେ ରେସ୍କ୍ୟୁ ଟିମ୍‌ ଚଳାଇଛନ୍ତି ଜୋରଦାର ଅପରେସନ। ସାମିଲ ଅଛନ୍ତି ନୌସେନା, ଏୟାରଫୋର୍ସ ଓ କୋଷ୍ଟ ଗାର୍ଡ। କାନାଡ଼ାର ଏକ ଏୟାରକ୍ରଫ୍ଟ ଆଟଲାଣ୍ଟିକ ଓସେନ୍‌ରେ କିଛି ଶବ୍ଦ ବାରିଛନ୍ତି । ତେବେ ଏହା ସେହି ବୁଡ଼ା ଜାହାଜର କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ । ୫ଜଣଙ୍କୁ ନେଇ କାନାଡାର ନ୍ୟୁଫାଉଣ୍ଡଲ୍ୟାଣ୍ଡ ଉପକୂଳରୁ ଯାତ୍ରା ଆରମ୍ଭ କରିଥିଲା ଏହି ବୁଡାଜାହାଜ ଟାଇଟନ୍‌ । କିନ୍ତୁ ଯାତ୍ରା ଆରମ୍ଭର ମାତ୍ର କିଛି ଘଣ୍ଟା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା। ଯାତ୍ରୀଙ୍କ ମଧ୍ୟରେ ଅଛନ୍ତି ବ୍ରିଟିଶ କୋଟିପତି ହରମିଶ ହାରଡିଙ୍ଗ, ପାକିସ୍ତାନୀ ବ୍ୟବସାୟୀ ଶେହଜାଦା ଦାଉଦ ଓ ତାଙ୍କ ପୁଅ । ଆଟଲାଣ୍ଟିକ ମହାସାଗରର ୧୨ ହଜାର ୫୦୦ ଫୁଟ ତଳେ ରହିଛି ଟାଇଟାନିକ ଜାହାଜର ଧ୍ୱଂସାବଶେଷ । ୧୯୧୨ ମସିହାରେ ବିଳାସପୂର୍ଣ୍ଣ ଟାଇଟାନିକ ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ି ଯାଇଥିଲା। ସାଉଥମ୍ପଟନରୁ ନ୍ୟୁୟର୍କ ଯିବା ବାଟରେ ବିଶାଳ ବରଫଖଣ୍ଡକୁ ଧକ୍କା ଦେଇଥିଲା। ଜାହାଜରେ ୨୨ଶହ ଯାତ୍ରୀଙ୍କ ସହ କ୍ରିୟୁ ସଦସ୍ୟ ଥିଲେ। ଦୁର୍ଘଟଣାରେ ୧୫ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ୧୯୮୫ରେ ଏହାର ଧ୍ୱଂସାବଶେଷ ଠାବ ହେବା ପରେ ଏଠାକୁ ବେଳେ ବେଳେ ପର୍ଯ୍ୟଟକ ଯାଇଥାନ୍ତି ବୁଲିବା ପାଇଁ।

Leave a Reply

Your email address will not be published. Required fields are marked *