ଭୀଷଣ ଗ୍ରୀଷ୍ମ ପ୍ରବାହ: ଉତ୍ତର ପ୍ରଦେଶ ଓ ବିହାରରେ ୧୦୦ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଦେଶର ଅନେକ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଉତ୍ତରପ୍ରଦେଶ ଓ ବିହାରରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏପର୍ଯ୍ୟନ୍ତ ୧୦୦ ଜଣଙ୍କ ମୃତ୍ୟୁ ଘଟିଛି। କେବଳ ଉତ୍ତର ପ୍ରଦେଶର ବଲିଆରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ୫୪ ଜଣଙ୍କ ମୃତ୍ୟୁ ଘଟିଛି । ରାଜ୍ୟର ଅନ୍ୟ କେତେକ ଜିଲ୍ଲାରେ ବି ଅଂଶୁଘାତ ମୃତ୍ୟୁ ସୂଚନା ମିଳିଛି । ସେହିପରି ଗତ ୩ ଦିନ ମଧ୍ୟରେ ବିହାରରେ ୪୪ ଜଣଙ୍କ ମୃତ୍ୟୁ ଘଟିଲାଣି । କେବଳ ଉତ୍ତରପ୍ରଦେଶ, ବିହାର ନୁହେଁ, ମଧ୍ୟପ୍ରଦେଶ,ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ବି ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି ।
ତେବେ ବଲିଆରେ ହୋଇଥିବା ୫୪ ଜଣଙ୍କ ମୃତ୍ୟୁ ଗ୍ରୀଷ୍ମପ୍ରବାହ ଯୋଗୁଁ ହୋଇଥିବା ପ୍ରଶାସନ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ । ସେମାନଙ୍କ ମୃତ୍ୟୁର କାରଣ ଜାଣିବାକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ୫୪ ଜଣଙ୍କ ମୃତ୍ୟୁ ପରେ ଜିଲ୍ଲା ଡାକ୍ତରଖାନାର ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଦିବାକର ସିଂହଙ୍କୁ ଆଜମଗଡ଼ ସ୍ଥାନାନ୍ତର କରାଯାଇଛି ।
ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ବିହାରରେ ସ୍କୁଲ ଛୁଟିକୁ ଜୁନ ୨୪ ପର୍ଯ୍ୟନ୍ତ ବଢାଇଦିଆଯାଇଛି । ପୂର୍ବରୁ କରାଯାଇଥିବା ଘୋଷଣା ଅନୁସାରେ ଜୁନ ୧୮ରେ ସ୍କୁଲ ଖୋଲିବାର ଥିଲା । ଅନ୍ୟପକ୍ଷରେ ମୌସୁମୀ ଆସିବାରେ ବିଳମ୍ବ କାରଣରୁ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ବି ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ସତର୍କତା ଜାରି କରିଛି । ଏଣୁ ଆଗକୁ ସ୍ଥିତି ଆହୁରି ସାଂଘାତିକ ହେବାର ଆଶଙ୍କା କରାଯାଉଛି ।