ପ୍ରଥମ ଉଦ୍ୟମରେ ନିଟ୍‌ ୟୁଜି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଜମ୍ମୁ କାଶ୍ମୀରର ୩ ଭଉଣୀ

Spread the love

ଶ୍ରୀନଗର : ଶ୍ରୀନଗର ନୌସେରାର ତୁବା ବଶିର, ରୁତବା ବଶିର ଏବଂ ଉର୍‌ବିଶ ନିଟ୍‌ ୟୁଜି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନେ ୩ ସଂପର୍କୀୟ ଭଉଣୀ। ୩ ଜଣଯାକ ଏକାବେଳେ ଏଭଳି ସଫଳତା ହାସଲ କରିଛନ୍ତି। ସେମାନଙ୍କ ପରିବାର‌ରେ ଏବେ ଉତ୍ସବର ମ‌ାହୋଲ। ତୁବା ବଶିର କହିଛନ୍ତି, ଆମେ ୩ ଜଣ ଏକାଠି ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ଖୁବ୍‌ ଖୁସି ଲାଗୁଛି। କାରଣ ଆମେ ଏକାଠି ସ୍କୁଲ ଏବଂ କୋଚିଂ ଯାଇଛୁ। ଆମେ ଭାବିଥିଲୁ ଯେ ଆମେ ଏକାଠି ନିଟ୍‌ ପାଇବୁ ଏବଂ ଡାକ୍ତର ହେବାର ସ୍ବପ୍ନ ସାକାର କରିବୁ। ଆଜି ଏହି ସ୍ବପ୍ନ ସାକାର ହୋଇଛି।

ରୁତବା ବଶିର କହିଛନ୍ତି, ଆମେ ସମସ୍ତେ ଖୁବ୍‌ ଖୁସି ଅଛୁ। ଆମେ ଏକାଦଶ ଶ୍ରେଣୀରୁ ଏକାଠି ନିଟ୍‌ ପରୀକ୍ଷା‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲୁ। ଆମେ ବହୁତ ପରିଶ୍ରମ କରିଛୁ। ଆମ ସଫଳତାର ଶ୍ରେୟ ଆମ ବାପା ମା’ ପାଇବେ। ସେମାନେ ଆମକୁ ପିଲାଦିନୁ ସହଯୋଗ ଓ ସମର୍ଥନ କରି ଆସିଛନ୍ତି। ଉରବିଶ ମଧ୍ୟ ସମାନ ଆନନ୍ଦ ପ୍ରକାଶ କରିଛନ୍ତି। ତାଙ୍କର ଏହି ସଫଳତାର ଯାତ୍ରା ସଂକ୍ରାନ୍ତରେ ଉରବିଶ କହିଛନ୍ତି, ମୁଁ ଖୁବ୍‌ ଖୁସି। ଆମ ପରିବାରେ କେହି ଡାକ୍ତର ନଥିଲେ। ମୁଁ ନିଜେ ହିଁ ଡାକ୍ତର ହେବା ପାଇଁ ନିଷ୍ପତ୍ତି ନେଇଥିଲି। ଆମ ବାପା ମା’ ଆରମ୍ଭରୁ ଆମକୁ ବହୁତ ସମର୍ଥନ କରିଛନ୍ତି। ଆମେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ସମୟରେ ମୁଣ୍ଡରେ ରଖିଥିଲୁ ଯେ ଏହା ଆମର ପ୍ରଥମ ଏବଂ ଶେଷ ଉଦ୍ୟମ। ଆମେ ଅତ୍ୟନ୍ତ ନିଷ୍ଠାର ସହ ପାଠ ପଢ଼ିଥିଲୁ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *