ଛତିଶଗଡ଼ରେ ଏନ୍‌କାଉଣ୍ଟର୍‌; ମହିଳା ମାଓବାଦୀ ନିହତ

Spread the love

କାଙ୍କେର୍‌: ଆଜି ଛତିଶଗଡ଼ର କାଙ୍କେର୍‌ ଜିଲ୍ଲା ଅନ୍ତର୍ଗତ ଜଙ୍ଗଲରେ ନିରାପତ୍ତା ବଳଙ୍କ ସହିତ ଗୁଳି ବିନିମୟ କରି ଜଣେ ମହିଳା ମାଓବାଦୀ ନିହତ ହୋଇଥିବା କଥା ଆଜି ପୁଲିସ କହିଛି।

ବସ୍ତର ରେଞ୍ଜ୍ ପୁଲିସ ଇନ୍‌ସ୍‌ପେକ୍ଟର୍‌ ସୁନ୍ଦରରାଜ ପି. କହିଛନ୍ତି, ନିରାପତ୍ତା ବଳ ମାଓବାଦୀ ନିରୋଧୀ ଅଭିଯାନରେ ବାହାରିଥିବା ବେଳେ ଛୋଟେବେଥିୟା ଥାନା ଅନ୍ତର୍ଗତ ବିନାଗୁଣ୍ଡା ଗ୍ରାମ ନିକଟ ଜଙ୍ଗଲରେ ଆଜି ସକାଳ ପ୍ରାୟ ୭ଟା ବେଳେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।

ରାଜନନ୍ଦଗାଓଁ-କାଙ୍କେର୍‌ ଡିଭିଜନ୍‌ର (ଆର୍‌କେବି) ନକ୍ସଲ୍‌ ନେତା ଓ ୨୦ରୁ ୨୫ଜଣ ସଶସ୍ତ୍ର କ୍ୟାଡର୍‌ଙ୍କ ଉପସ୍ଥିତି ସଂକ୍ରାନ୍ତରେ ମିଳିଥିବା ତଥ୍ୟକୁ ଆଧାର କରି ରବିବାର ଦିନ ଏହି ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନରେ ‘ଡିଷ୍ଟ୍ରିକ୍ଟ୍‌ ରିଜର୍ଭ ଗାର୍ଡ’ (ଡିଆର୍‌ଜି) ଏବଂ ‘ବର୍ଡର୍‌ ସିକ୍ୟୁରିଟି ଫୋର୍ସ’ (ବିଏସ୍‌ଏଫ୍‌)ର ୧୩୨ ବାଟାଲିୟାନ୍‌ର ଯବାନମାନେ ସାମିଲ ହୋଇଥିଲେ ବୋଲି ପୁଲିସ ଇନ୍‌ସ୍‌ପେକ୍ଟର୍‌ ସୁନ୍ଦରରାଜ ପି. କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଗୁଳି ବିନିମୟ ବନ୍ଦ ହେବା ପରେ ‘ୟୁନିଫର୍ମ’ ପିନ୍ଧିଥିବା ଜଣେ ଅଜ୍ଞାତ ମହିଳା ମାଓବାଦୀଙ୍କ ଶବ ମିଳିଥିଲା। ତାଙ୍କର ଅତି ପାଖରେ ପଡ଼ିଥିଲା ଗୋଟାଏ .୩୦୩ ରାଇଫଲ୍‌।

ଘଟଣାସ୍ଥଳରେ ତଲାସ ଅଭିଯାନ ଚାଲିଛି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଜୁନ୍‌ ୭ ତାରିଖରେ ଛତିଶଗଡ଼ର ବିଜାପୁର ଜିଲ୍ଲା ଅନ୍ତର୍ଗତ ଜଙ୍ଗଲରେ ନିରାପତ୍ତା ବଳ ଓ ନକ୍ସଲ୍‌ବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହାଥିଲା ‘କୋବ୍ରା’ ଏବଂ ‘ଏସ୍‌ଟିଏଫ୍‌’ର ମିଳିତ ଅଭିଯାନ। ସେତେବେଳେ ଛତିଶଗଡ଼ର ବିଜାପୁର ଓ ସୁକମା ଜିଲ୍ଲାର ସୀମାନ୍ତ ଅଞ୍ଚଳରେ କେତେଗୁଡ଼ିଏ ବିସ୍ଫୋରଣ ଓ ଗୁଳି ଫୁଟିବା ଶବ୍ଦ ଶୁଭିଥିଲା।

Leave a Reply

Your email address will not be published. Required fields are marked *