ଆସାମରେ ବିଜେପି ମହିଳା ନେତ୍ରୀଙ୍କୁ ହତ୍ୟା
ଆସାମର ଗୋଲପାରା ଜିଲ୍ଲାରେ ଜଣେ ବିଜେପି ମହିଳା ନେତ୍ରୀଙ୍କ ମୃତଦେହ ୧୭ ନଂ. ଜାତୀୟ ରାଜପଥ ନିକଟରୁ ମିଳିଛି। ମୃତା ହେଲେ ଆସାମ ବିଜେପି ନେତ୍ରୀ ଜୋନାଲି ନାଥ। ଜୋନାଲିଙ୍କ ପରିବାର ଲୋକେ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। କିନ୍ତୁ ପୋଲିସ ସବୁ ଦିଗରୁ ମାମଲାର ତଦନ୍ତ କରୁଥିବା କହିଛି।
ଜୋନାଲି ନାଥ ଗୋଲପାରାରେ ବିଜେପିର ଜିଲ୍ଲା ସଚିବ ଥିଲେ। ରବିବାର ମଧ୍ୟରାତ୍ରିରେ ତାଙ୍କ ମୃତଦେହ ପୋଲିସକୁ ମିଳିଥିଲା। ସୂଚନା ଅନୁସାରେ, ତାଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ସେ ରବିବାର ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ କିଛି ବ୍ୟକ୍ତିଗତ କାମରେ ଇସଲାମପୁର ଯାଇଥିଲେ।
ସନ୍ଧ୍ୟା ପ୍ରାୟ ୭ଟାରେ ଯେତେବେଳେ ତାଙ୍କ ସ୍ୱାମୀ କଲ କରିବାକୁ ଚେଷ୍ଟା କରିଥିଲେ, ତ ତାଙ୍କ ଫୋନ୍ ଲାଗି ନ ଥିଲା। ପରେ ପରିବାର ଲୋକେ ଏ ନେଇ ପୋଲିସକୁ ସୂଚନା ଦେଇଥିଲେ ଏବଂ ରାତି ପ୍ରାୟ ୧୨ଟାରେ ତାଙ୍କ ମୃତଦେହ ମିଳିଥିଲା। ଜୋନାଲିଙ୍କ ଶରୀରରେ ଅନେକ ଆଘାତ ଚିହ୍ନ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ସେମାନଙ୍କ କହିବା ହେଲା, ଜୋନାଲିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି ଏବଂ ହତ୍ୟା ପରେ ଦୁର୍ବୃତ୍ତମାନେ ତାଙ୍କ ମୃତଦେହକୁ ରାସ୍ତାରେ ଫିଙ୍ଗି ଦେଇଛନ୍ତି। ସେପଟେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ଦୁଇ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି।