ରୁଷ-ୟୁକ୍ରେନ ମଧ୍ୟରେ ଆହୁରି ଭୟଙ୍କର ହେବ ଯୁଦ୍ଧ, ସାମିଲ ହେଲେ କିଭ୍ର ନୂଆ ୧୨ ବ୍ରିଗେଡ
ରୁଷ-ୟୁକ୍ରେନ ମଧ୍ୟରେ ଆହୁରି ଭୟଙ୍କର ହେବ ଯୁଦ୍ଧ । ରୁଷ ଉପରେ ପ୍ରତିଆକ୍ରମଣ ପାଇଁ ପ୍ରସ୍ତୁତ ୟୁକ୍ରେନ ସୈନ୍ୟ । ଯୁଦ୍ଧରେ ସାମିଲ ହେଲେ କିଭ୍ର ନୂଆ ୧୨ ବ୍ରିଗେଡ । ପାଶ୍ଚାତ୍ୟ ଦେଶରୁ ପ୍ରଶିକ୍ଷଣ ନେଇଥିବା ୫୦ହଜାରରୁ ୬୦ହଜାର ସୈନ୍ୟ ଫ୍ରଣ୍ଟ ଲାଇନରେ ସାମିଲ ହୋଇଛନ୍ତି । ଦୀର୍ଘ ଦିନ ହେବ ରୁଷ ଉପରେ ପ୍ରତିଆକ୍ରମଣ କରିବାକୁ ଯୋଜନା କରିଥିଲା ୟୁକ୍ରେନ।
ନିଜ ଅଞ୍ଚଳକୁ ପୁନଃ ଅକ୍ତିଆର କରିବାକୁ ଆକ୍ରମଣ କରିଛି କିଭ୍ । ଜାପୋରଝିଆର ଓରିକିଭ୍ ସହର ନିକଟରେ ଦୁଇ ସେନା ମୁହାଁମୁହିଁ ହୋଇଛନ୍ତି । ଏପଟେ ପୂର୍ବ ୟୁକ୍ରେନ ବଖମୁତରେ ଆଗକୁ ବଢୁଛି ୟୁକ୍ରେନ ସେନା। ଜର୍ମାନୀ ଓ ଆମରେିକା ଯୁଦ୍ଧାସ୍ତ୍ରରେ ରୁଷକୁ କଡା ଜବାବ ଦେଉଛି ।
ଗତ ମାସରେ ଦୀର୍ଘ ଦିନର ଯୁଦ୍ଧ ପରେ ରୁଷ ବଖମୁତକୁ ଅକ୍ତିଆର କରିଥିଲା । ଏପଟେ ରୁଷରେ ଡ୍ରୋନ କାରଖାନା ନିର୍ମାଣ କରିବେ ରାଷ୍ଟ୍ରପତି ପୁଟିନ । ଇରାନୀ ଡ୍ରୋନକୁ ରୁଷରେ ପ୍ରସ୍ତୁତ କରାଯିବା ନେଇ ଇରାନ ଓ ରୁଷ କାମ କରୁଛନ୍ତି । ଏନେଇ ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଛି ।
ଇରାନୀ ଡ୍ରୋନରେ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରୁଛି ରୁଷ । କିଛି ଦିନ ପୂର୍ବରୁ ଇରାନ ଶହେରୁ ଅଧିକ ଡ୍ରୋନ ରୁଷକୁ ଦେଇଛି । ଇରାନରେ ଡ୍ରୋନ ନିର୍ମାଣ କରାଯାଉଛି ଓ କ୍ୟାସିପିୟାନ ସମୁଦ୍ର ଦେଇ ରୁଷକୁ ପଠାଯାଉଛି ।