ବିମାନ ଦୁର୍ଘଟଣାର ୪୦ ପରେ ଆମାଜନ ଜଙ୍ଗଲରୁ ଜୀବନ୍ତ ଉଦ୍ଧାର ହେଲେ ୪ ଭାଇଭଉଣୀ
ଆମାଜନ ଜଙ୍ଗଲରୁ ୪୦ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇଛନ୍ତି ୪ ଭାଇଭଉଣୀ । ମେ ୧ ତାରିଖରେ ହୋଇଥିବା ଏକ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇ ୪୦ ଦିନ ପରେ ଉଦ୍ଧାର ହୋଇଛନ୍ତି । ସମସ୍ତେ ଜୀବିତ ଥିବା ବେଳେ ଦୁର୍ବଳ ହୋଇ ଯାଇଥିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ବୟସ ୧୩, ୯, ୪ ଏବଂ ଜଣେ ନବଜାତ ବୋଲି ଜଣାପଡିଛି । ତେବେ ଏଭଳି ଅବିଶ୍ବସନୀୟ ଘଟଣାକୁ ନେଇ ଏବେ ସମଗ୍ର ବିଶ୍ୱରେ ଚର୍ଚ୍ଚା ।
ଖବର ମୁତାବକ, ମେ ୧ ତାରିଖରେ ୭ ଜଣଙ୍କୁ ଧରି ଯାଉଥିବା ଗୋଟାଏ କ୍ଷୁଦ୍ର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନର ଭଗାଂବଶେଷ ସହ ୩ ଜଣଙ୍କ ମୃତଦେହକୁ ଠାବ କରାଯାଇଥିବା ବେଳେ ନିଖୋଜ ଥିବା ଏହି ୪ ଭାଇଭଉଣୀଙ୍କ ସନ୍ଧାନ ମିଳି ପାରି ନ ଥିଲା। ଏହି ପିଲାମାନେ ଆମାଜନ ଜଙ୍ଗଲରେ ଥିବା ବେଳେ ଦୀର୍ଘ ୪୦ ଦିନ ହେବ ଫଳମୂଳ ଖାଇ ବଞ୍ଚି ରହିଥିଲେ।
ଦୀର୍ଘ ଦିନ ପରେ ସନ୍ଧାନୀକାରୀ ଦଳ ଆମାଜନ ଜଙ୍ଗଲରେ ଖୋଜିବା ପରେ ଘଞ୍ଚ ଜଙ୍ଗଲରେ ପିଲାମାନଙ୍କୁ ପାଦ ଚିହ୍ନ ଦେଖି ଠାବ କରିଥିଲେ। ପିଲାମାନଙ୍କ ଶରୀରରେ ପାଣିର ଅଭାବ, ପିଲାଙ୍କ ଶରୀରକୁ ପୋକ ଖାଇଯାଇଥିଲେ । ସେମାନଙ୍କ ଶରୀର କ୍ଷୀଣ ହୋଇ ଯାଇଥିବା ବେଳେ ସେମାନେ ଖୁବ୍ ଦୁର୍ବଳ ଦେଖାଯାଉଥିଲେ। ଉଦ୍ଧାରକାରୀ ଦଳ ତୁରନ୍ତ ସେମାନଙ୍କୁ ବିମାନ ଯୋଗ ଆଣି ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାଯାଇଛି। ଏବେ ସେମାନଙ୍କର ଚିକିତ୍ସା ଚାଲିଥିବା ବେଳେ ସେମାନେ ସୁସ୍ଥ ରହିଛନ୍ତି ।
ଏହା କୌଣସି ଚମତ୍କାରଠୁ କମ୍ ନୁହେଁ ବୋଲି କହିଛନ୍ତି କୋଲୋମ୍ବିଆର ରାଷ୍ଟ୍ରପତି ଗୁସ୍ତାଭୋ ପିଟ୍ରୋ । ଗୁସ୍ତାଭୋ ପିଟ୍ରୋ ପିଲାଙ୍କ ଉଦ୍ଧାର ବେଳର ଫୋଟ ପୋଷ୍ଟ କରି କହିଛନ୍ତି, ଏହା ଚମତ୍କାର, ସମଗ୍ର ଦେଶ ପାଇଁ ଏହା ଖୁବ୍ ଆନନ୍ଦର ବିଷୟ ବୋଲି କହିଛନ୍ତି ।