ବାଂଲାଦେଶର ଦକ୍ଷିଣ ସୁର୍ମାରେ ଦୁର୍ଘଟଣା, ୧୩ ମୃତ
ବାଂଲାଦେଶର ଦକ୍ଷିଣ ସୁରମା ଉପଜିଲ୍ଲାର ନଜିର୍ ବଜାରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍ ସହ ପିକ୍ଅପ ଭ୍ୟାନ୍ ଧକ୍କାରେ ପାଖାପାଖି ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣ ଆହତ ମଧ୍ୟ ହୋଇଛନ୍ତି। ସିଲହଟ-ଢାକା ରାଜପଥରେ ଟ୍ରକ୍ ଓ ପିକ୍ଅପ ଭ୍ୟାନ୍ ମଧ୍ୟରେ ଜୋର୍ଦାର ଧକ୍କା ହୋଇଥିଲା।
ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇ ପୋଲିସ କହିଛି ଯେ ମୃତକମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୪ ଜଣଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ। ସମସ୍ତ ମୃତକ ସୁନାମଗଞ୍ଜ ଜିଲ୍ଲାର ବାସିନ୍ଦା ଥିଲେ।
ପୋଲିସ ସୂଚନା ମୁତାବକ, ଦୁର୍ଘଟଣା ସକାଳ ପାଖାପାଖି ସାଢ଼େ ୫ଟା ବେଳେ ହୋଇଛି। ବାଲି ବୋଝେଇ ଏକ ଟ୍ରକ୍ କୁତୁବପୁର ଅଞ୍ଚଳରେ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ପିକ୍ଅପ ଭ୍ୟାନ୍କୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ୧୧ ଜଣଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଭ୍ୟାନ୍ରେ ୨୦ରୁ ଅଧିକ ଶ୍ରମିକ ଥିଲେ ଏବଂ ସେମାନେ ତାଜପୁର ଅଭିମୁଖେ ଯାଉଥିଲେ।
ସୂଚନା ଅନୁସାରେ, ଦୁର୍ଘଟଣା ପରେ ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଦୁର୍ଘଟଣା ପରେ ୩ ଘଣ୍ଟା ଧରି ଜାତୀୟ ରାଜପଥ ଟ୍ରାଫିକ୍ ଜାମ୍ ରହିଥିଲା। ସକାଳ ପାଖାପାଖି ୮ଟା ବେଳେ ରାସ୍ତା ଜାମ୍ ହଟିଥିଲା।