ରକ୍ତରଞ୍ଜିତ ହେଲା ଲକ୍ଷ୍ନୌ କୋର୍ଟ ପରିସର, ବ୍ରହ୍ମଦତ୍ତ ଦ୍ୱିବେଦୀ ହତ୍ୟାକାଣ୍ଡର କୁଖ୍ୟାତ ଅପରାଧୀଙ୍କୁ ଗୁଳି କରି ହତ୍ୟା
ୟୁପିର ରାଜଧାନୀ ଲକ୍ଷ୍ନୌରୁ ଏକ ବଡ଼ ଖବର ଆସିଛି। ଲକ୍ଷ୍ନୌ କୋର୍ଟରେ ସଞ୍ଜୀବ ଜୀଭା ନାମକ ଅପରାଧୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସଞ୍ଜୀବ ଜୀଭା ମାଫିଆ ମୁଖତାର୍ ଅନସାରୀଙ୍କ ଘନିଷ୍ଠ ଥିଲେ। ସେ ୟୁପିର ପୂର୍ବତନ ଶକ୍ତି ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବ୍ରହ୍ମଦତ୍ତ ଦ୍ୱିବେଦୀଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ।
ଲକ୍ଷ୍ନୌ ସିଭିଲ୍ କୋର୍ଟ ପରିସରରେ ହୋଇଥିବା ଏହି ଗୁଳିକାଣ୍ଡରେ ଜଣେ ଶିଶୁକନ୍ୟା ଏବଂ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଆକ୍ରମଣକାରୀମାନେ ଓକିଲ ପୋଷାକରେ ଆସିଥିଲେ। ଏହି ଘଟଣାରେ ପୋଲିସ ଜଣେ ଆକ୍ରମଣକାରୀଙ୍କୁ ଗିରଫ କରିଛି।
ପୋଲିସ ସୂଚନା ମୁତାବକ, ସଞ୍ଜୀବ ଜୀଭା ପଶ୍ଚିମ ୟୁପିର ଜଣେ କୁଖ୍ୟାତ ଅପରାଧୀ ଥିଲେ, ଯିଏକି, ପୂର୍ବରୁ କମ୍ପାଉଣ୍ଡର କାମ କରୁଥିଲେ। ଥରେ ସେ ନିଜ ମାଲିକଙ୍କୁ ଅପହରଣ କରି ନେଇଥିଲେ। ପଶ୍ଚିମ ୟୁପିର କୁଖ୍ୟାତ ଅପରାଧୀ ସଞ୍ଜୀବ ମାହେଶ୍ୱରୀ ଓରଫ୍ ଜୀଭା ଲକ୍ଷ୍ନୌ ଜେଲରେ ବନ୍ଦୀ ଥିଲେ।
ଏହିପରି ଗତ ଦୁଇଦିନ ତଳେ ବାରାଣସୀର ଏମ୍ପି ଏମ୍ଏଲ୍ଏ କୋର୍ଟ ଅବଧେଶ ରାୟ ହତ୍ୟା ମାମଲାରେ ବାନ୍ଦା ଜେଲରେ ଥିବା ମାଫିଆ ମୁଖତାର ଅନସାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ଅନସାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଯାଇଛି।