କାନ୍ଦିଲେ ଅରବିନ୍ଦ କେଜ୍ରିୱାଲ
ଦିଲ୍ଲୀର ଦରିୟାପୁର ଗାଁରେ ବୁଧବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍କୁଲ ଅଫ୍ ଏକ୍ସିଲେନ୍ସ ଉଦ୍ଘାଟନ କରିଛନ୍ତି। ଏହି ସମୟରେ ଏମିତି ଏକ କ୍ଷଣ ଆସିଥିଲା, ଯେତେବେଳେ ସେ ମଞ୍ଚ ଉପରେ ମନୀଷ ସିସୋଦିଆଙ୍କ ନାଁ ନେଇ କାନ୍ଦି ପକାଇଥିଲେ।
ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଯେତେବେଳେ ମନୀଷ ସିସୋଦିଆଙ୍କ ଶିକ୍ଷା କ୍ରାନ୍ତି ବିଷୟରେ କହୁଥିଲେ, ସେତେବେଳେ ତାଙ୍କ ଗଳା ରୁନ୍ଧି ହୋଇଯାଇଥିଲା ଏବଂ ଆଖି ଲାଲ ହୋଇଯାଇଥିଲା। ଅବଶ୍ୟ ସେ ନିଜକୁ ସମ୍ଭାଳି ପାଣି ପିଇଥିଲେ ଏବଂ ଆଗକୁ କହିବା ଆରମ୍ଭ କରିଥିଲେ।
ବୱାନାର ଦରିୟାପୁର କଳା ଗାଁରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍କୁଲ ଅଫ୍ ସ୍ପେଶାଲାଇଜ୍ଡ ଏକ୍ସିଲେନ୍ସ ଅଧୀନରେ ଦିଲ୍ଲୀର ୩୫ତମ ବିଦ୍ୟାଳୟ ଉଦ୍ଘାଟନ କରିଥିଲେ। ଏହି ଅବସରରେ ମନୀଷ ସିସୋଦିଆଙ୍କ କଥା କହି ଭାବପ୍ରବଣ ହୋଇଥିଲେ। ସେ କହିଥିଲେ ଯେ ‘ଆଜି ମନୀଷ ସିସୋଦିଆଙ୍କ କଥା ବହୁତ ମନେ ପଡ଼ୁଛି। ଏହା ତାଙ୍କର ସ୍ୱପ୍ନ ଥିଲା’।
‘ତାଙ୍କୁ ଜେଲ୍ରେ ଏଥିପାଇଁ ରଖାଯାଇଛି, କାହିଁକି ନା, ସେ ଭଲ ବିଦ୍ୟାଳୟ ନିର୍ମାଣ କରିଛନ୍ତି। ଯଦି ସେ ଭଲ ବିଦ୍ୟାଳୟ କରି ନ ଥାଆନ୍ତେ, ତା’ ହେଲେ ଜେଲରେ ନ ଥାଆନ୍ତେ। ସେ କହିଛନ୍ତି ଯେ ଏହି ଲୋକମାନେ ଶିକ୍ଷା କ୍ରାନ୍ତିକୁ ଶେଷ କରିବାକୁ ଚାହୁଁଛନ୍ତି, କିନ୍ତୁ ଆମେ ଏହା କରିବାକୁ ଦେବୁ ନାହିଁ’।