‘ଅମିତ ଶାହାଙ୍କ ସହ କୌଣସି ଚୁକ୍ତି ହୋଇନାହିଁ, ଜାରି ରହିବ ଆନ୍ଦୋଳନ’: କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ

Spread the love

ନୂଆଦିଲ୍ଲୀ: ଯୌନ ନିର୍ଯାତନା ଅଭିଯୋଗରେ କୁସ୍ତି ମହାସଂଘ ର ମୁଖ୍ୟ ତଥା ବିଜେପି ସାଂସଦ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଆନ୍ଦୋଳନର ନେତୃତ୍ୱ ନେଉଥିବା ଅଲିମ୍ପିଆନ୍‌ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଆଜି କହିଛନ୍ତି ଯେ ଶନିବାର ସନ୍ଧ୍ୟାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ହୋଇଥିବା ବୈଠକ ବିଷୟରେ ବାହାରେ କୌଣସି ପ୍ରକାର ସୂଚନା ବା ମତମନ୍ତବ୍ୟ ନଦେବାକୁ ସରକାର ସେମାନଙ୍କୁ କହିଥିଲେ।

ଶ୍ରୀ ପୁନିଆ ଆଜି ଏକ ଘରୋଇ ଟିଭି ଚ୍ୟାନେଲକୁ କହିଛନ୍ତି ଯେ ଗୃହମନ୍ତ୍ରୀଙ୍କ ସହ ସେମାନଙ୍କର କୌଣସି ପ୍ରକାରର ‘ସେଟିଂ’ ବା ଚୁକ୍ତି ହୋଇନାହିଁ। ଗୃହମନ୍ତ୍ରୀ ଶ୍ରୀ ଶାହା ସେମାନଙ୍କୁ କହିଛନ୍ତି ଯେ ଆଗତ ଅଭିଯୋଗ ସଂପର୍କରେ ତଦନ୍ତ ଚାଲିଛି। ତେଣୁ, ଆମ ପକ୍ଷରୁ ଆରମ୍ଭ ହୋଇଥିବା ବିକ୍ଷୋଭ ଆନ୍ଦୋଳନ ଥମିନାହିଁ, ଏହା ଜାରି ରହିଛି ଏବଂ ଜାରି ରହିବ। ଆଗାମୀ ଦିନରେ ଆନ୍ଦୋଳନ ଓ ବିକ୍ଷୋଭକୁ କିପରି ଆଗକୁ ନିଆଯିବ ସେନେଇ ଆମେ ରଣନୀତି ପ୍ରସ୍ତୁତ କରୁଛୁ।

ଗୃହମନ୍ତ୍ରୀଙ୍କୁ ଭେଟିଥିବା କୁସ୍ତିଯୋଦ୍ଧାମାନେ ଚୁକ୍ତି କରିଛନ୍ତି ଏବଂ ଆଗକୁ ପ୍ରତିବାଦର କୌଣସି ଉପଯୋଗ ନାହିଁ ବୋଲି ପ୍ରଚାରିତ ହେଉଥିବା ଗୁଜବ ଉପରେ ଶ୍ରୀ ପୁନିଆ କହିଛନ୍ତି ଯେ ସରକାର ସେମାନଙ୍କୁ ଅମିତ ଶାହାଙ୍କ ସହ ବୈଠକ ବିଷୟରେ ବାହାରେ ଆଲୋଚନା ନ କରିବାକୁ କହିଥିଲେ, କିନ୍ତୁ ନିଜେ ଏହି ସୂଚନା ଗଣମାଧ୍ୟମକୁ ଲିକ୍‌ କରିଥିଲେ।

ବଜରଙ୍ଗ ପୁନିଆ କହିଛନ୍ତି ଯେ ଆଲୋଚନା କାଳରେ ସେମାନେ ଗୃହମନ୍ତ୍ରୀଙ୍କୁ ପଚାରିଥିଲେ ଯେ ବ୍ରଜଭୂଷଣ ଶରଣ ସିଂହଙ୍କୁ କାହିଁକି ଏପର୍ଯ୍ୟନ୍ତ ଗିରଫ କରାଯାଉ ନାହିଁ? ତାଙ୍କୁ କାହିଁକି ସୁରକ୍ଷା ଦିଆଯାଉଛି? କୁସ୍ତିଯୋଦ୍ଧାମାନେ କେବଳ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ପାଇ ଆନ୍ଦୋଳନ ବିକ୍ଷୋଭରୁ ପଛଘୁଞ୍ଚା ଦେବେ ନାହିଁ। ତେବେ, ସେ (ଶ୍ରୀ ଶାହା) ଆମକୁ ଆଶ୍ୱାସନା ଦେଇଛନ୍ତି ଯେ ସେମାନେ (ସରକାର) ଏହା ଉପରେ ଆଲୋଚନା କରୁଛନ୍ତି ଏବଂ ନିଶ୍ଚିତ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ବୋଲି ପୁନିଆ କହିଛନ୍ତି।

Leave a Reply

Your email address will not be published. Required fields are marked *