ବଡ଼ ଭାଇ ବେକକୁ ଚୋଟ ପକାଇଲା ସାନ, ଛୁରୀ ପଶିଥିବା ଅବସ୍ଥାରେ ନିଜେ ବାଇକ୍‌ ଚଲାଇ ହସ୍ପିଟାଲ ଗଲେ ପୀଡ଼ିତ

Spread the love

ବେକରେ ଛୁରୀ ପଶିଥିବା ଅବସ୍ଥାରେ ଜଣେ ପୀଡ଼ିତ ବ୍ୟକ୍ତି ୧ କିମି ନିଜେ ବାଇକ୍‌ ଚଲାଇ ଡାକ୍ତରଖାନାରେ ପହଞ୍ଚିଥିଲେ। ବେକରେ ଛୁରୀ ଏବଂ ପ୍ରବଳ ରକ୍ତସ୍ରାବ ହେଉଥିବାର ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପୀଡିତାଙ୍କୁ ତୁରନ୍ତ ଆଡ୍‌ମିଟ କରାଯାଇଥିଲା ଏବଂ ୪ ଘଣ୍ଟାର ଅସ୍ତ୍ରୋପଚାର ପରେ ତାଙ୍କ ବେକରୁ ଛୁରୀ ବାହାର କରାଯାଇଥିଲା।

ଘଟଣା ନଭି ମୁମ୍ବାଇର। ମିଳିଥିବା ସୂଚନା ମୁତାବକ, ତେଜସ୍‌ ପାଟିଲ୍‌ ନାମକ ବ୍ୟବସାୟୀଙ୍କ ବେକକୁ ତାଙ୍କ ସାନ ଭାଇ ମରଣାନ୍ତକ ଭାବେ ଆକ୍ରମଣ କରିଥିଲେ। ତାଙ୍କ ବେକକୁ କଳଙ୍କି ଲାଗିଥିବା ଛୁରୀରେ ବାରମ୍ବାର ଆକ୍ରମଣ କରାଯାଇଥିଲା। ଡାକ୍ତରଙ୍କ କହିବା ଅନୁସାରେ, ବ୍ୟକ୍ତିଙ୍କ ଜୀବନ ବଞ୍ଚିଯାଇଛି, ଯାହାକି ଏକ ଚମତ୍କାର। କାରଣ, ବ୍ୟକ୍ତିଙ୍କୁ ଗୁରୁତର ଆଘାତ ଲାଗିଥିଲା ଏବଂ ପ୍ରବଳ ରକ୍ତସ୍ରାବ ହୋଇଥିଲା।

ଆଶ୍ୱସ୍ତିକର କଥା ଯେ ଯେଉଁ ଶିରାରୁ ମସ୍ତିଷ୍କକୁ ରକ୍ତ ପହଞ୍ଚେ, ସେହି ଶିରାଗୁଡ଼ିକରେ ଛୁରୀ ଆଘାତ ଲାଗି ନ ଥିଲା। ତେଜସ ପାଟିଲ କହିଛନ୍ତି ଯେ ସକାଳେ ସେ ଶୋଇଥିବା ସମୟରେ ତାଙ୍କର ୨୮ ବର୍ଷୀୟ ଭାଇ ମୋନିଶ ତାଙ୍କୁ ଆକ୍ରମଣ କରିଥିଲେ। ଏହି ସମୟରେ ସେ ତାଙ୍କ ସାଙ୍ଗ ମହେଶ ସହିତ ଥିଲେ।

ତେଜସ୍‌ଙ୍କ କହିବା ହେଲା, ତାଙ୍କ ଭାଇ ଜଣେ ନିଶାଡ଼ି ଏବଂ ନିଶାଗ୍ରସ୍ତ ଅବସ୍ଥାରେ ହିଁ ତାଙ୍କୁ ଆକ୍ରମଣ କରିଥିଲେ। ସେପଟେ ଏହି ଘଟଣାରେ ଏତଲା ପଞ୍ଜୀକୃତ କରିଛି। ମୋନିଶ ଫେରାର ହୋଇଯାଇଥିବା ବେଳେ ପୋଲିସ ତାଙ୍କୁ ଖୋଜାଖୋଜି କରୁଛି।

Leave a Reply

Your email address will not be published. Required fields are marked *