ମମତାଙ୍କ ବଡ଼ ଘୋଷଣା, ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି
ଓଡ଼ିଶାର ବାଲେଶ୍ୱରରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ପଶ୍ଚିମବଙ୍ଗର ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପୀଡ଼ିତମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ମମତା ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଦେବା ବିଷୟରେ କହିଛନ୍ତି।
ମମତା ବାନାର୍ଜୀ ହାୱଡ଼ାରେ କହିଛନ୍ତି କି, ଦୁର୍ଘଟଣାରେ କିଛି ଲୋକ ପ୍ରାଣ ହରାଇଛନ୍ତି। କିଛି ଜଣ ନିଜର ହାତ, ଗୋଡ ହରାଇଛନ୍ତି। ଏମିତି ଲୋକମାନଙ୍କ ପାଇଁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଆମେ ସେମାନଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସ୍ପେଶାଲ୍ ହୋମଗାର୍ଡର ଚାକିରି ଦେବୁ।
ମମତା କହିଛନ୍ତି, ପଞ୍ଚିମବଙ୍ଗ ସରକାର ରାଜ୍ୟର ସେହି ଲୋକମାନଙ୍କୁ ବି ନଗଦ ସହାୟତା ପ୍ରଦାନ କରିବେ, ଯେଉଁମାନେ କରମଣ୍ଡଳ ଏକ୍ସପ୍ରେସରେ ଯାତ୍ରା କରୁଥିଲେ ଏବଂ ବର୍ତ୍ତମାନ ମାନସିକ ଓ ଶାରୀରିକ କଷ୍ଟ ଦେଇ ଗତି କରୁଛନ୍ତି। ଏଥିସହ ମମତା ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତ ଯାତ୍ରୀଙ୍କୁ ଭେଟିବା ପାଇଁ ମଙ୍ଗଳବାର ଭୁବନେଶ୍ୱର ଏବଂ କଟକ ଯିବେ।
ସିଏମ୍ କହିଛନ୍ତି, ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ହସ୍ପିଟାଲରେ ପଶ୍ଚିମବଙ୍ଗର ୨୦୬ ଆହତ ଯାତ୍ରୀଙ୍କୁ ଭର୍ତ୍ତି କରାଯାଇଛି।