୬ ମାସ ମହାକାଶରେ ରହି ପୃଥିବୀକୁ ଫେରିଲେ ଚୀନ ମହାକାଶଚାରୀ
ବେଜିଂ: ଚୀନର ମହାକାଶ ଷ୍ଟେସନ୍ ନିର୍ମାଣ ପାଇଁ ଦୀର୍ଘ ୬ ମାସ ଧରି ଚାଲିଥିବା ଅଭିଯାନ ଶେଷ କରିବା ପରେ ୩ ଜଣ ଚୀନ୍ ମହାକାଶଚାରୀ ରବିବାର ସେନଜୋ-୧୫ ମାନବବାହୀ ମହାକାଶଯାନରେ ସୁରକ୍ଷିତ ଭାବେ ପୃଥିବୀକୁ ଫେରିଛନ୍ତି। ଚାଇନା ମ୍ୟାନଡ୍ ସ୍ପେସ୍ ଏଜେନ୍ସି (ସିଏମ୍ଏସ୍ଏ) କହିଛି ଯେ ମହାକାଶଚାରୀ ଫେଇ ଜୁନଲଙ୍ଗ, ଡେଙ୍ଗ କିଙ୍ଗମିଙ୍ଗ୍ ଏବଂ ଝାଙ୍ଗ ଲୁଙ୍କୁ ନେଇ ସେନଜୋ-୧୫ ସକାଳ ୬ଟା ୩୩ ମିନିଟ୍ ରେ ଆଭ୍ୟନ୍ତରୀଣ ମଙ୍ଗୋଲିଆ ସ୍ୱୟଂଶାସିତ ଅଞ୍ଚଳର ଡୋଙ୍ଗଫେଙ୍ଗ୍ ଅବତରଣ ସ୍ଥଳରେ ଅବତରଣ କରିଥିଲା।
ଜୁନ୍ଲଙ୍ଗ, କିଙ୍ଗମିଙ୍ଗ ଏବଂ ଲୁ ୬ ମାସର ମହାକାଶ ଷ୍ଟେସନ୍ ଅଭିଯାନ ଶେଷ କରିଛନ୍ତି ବୋଲି ସିଏମ୍ଏସ୍ଏ ଘୋଷଣା କରିଛି। ମହାକାଶଚାରୀମାନେ ସୁସ୍ଥ ଅଛନ୍ତି ଏବଂ ସେନଜୋ-୧୫ ମାନବ ମିଶନ ସଫଳ ହୋଇଛି ବୋଲି ଏଜେନ୍ସି ଘୋଷଣା କରିଛି। ପ୍ରଥମ ଦେଶ ଭାବେ ନିଜର ସ୍ପେସ୍ ଷ୍ଟେସନ୍ ସ୍ଥାପନ କରିବ ଚୀନ୍ ।
ଏହା ପୂର୍ବରୁ ମେ ୩୦ ରେ ଜୁନଲଙ୍ଗ, କିଙ୍ଗମିଙ୍ଗ ଏବଂ ଲୁଙ୍କ ସ୍ଥାନରେ ଜଣେ ସାଧାରଣ ନାଗରିକଙ୍କ ସମେତ ତିନି ଜଣ ମହାକାଶଚାରୀଙ୍କୁ ଚୀନ୍ ମହାକାଶ ଷ୍ଟେସନକୁ ପଠାଯାଇଥିଲା। ମହାକାଶଚାରୀଙ୍କ ଏହି ନୂଆ ଟିମ୍ ୫ ମାସ ପର୍ଯ୍ୟନ୍ତ ମହାକାଶ ଷ୍ଟେସନରେ ରହିବେ। ଯଦି ଏହି ଷ୍ଟେସନ୍ ପ୍ରସ୍ତୁତ ହୁଏ, ତେବେ ଚୀନ୍ ଏକମାତ୍ର ଦେଶ ହେବ ଯାହାର ନିଜର ମହାକାଶ ଷ୍ଟେସନ୍ ରହିବ, କାରଣ ପୂର୍ବରୁ ମହାକାଶରେ ଥିବା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଆମେରିକା, ୟୁରୋପୀୟ ସଂଘ, ଜାପାନ ଓ ରୁଷ ମିଳିତଭାବେ ପ୍ରତିଷ୍ଠା କରିଥିଲେ ।