ଭାରତୀୟ ଆଇ ଡ୍ରପ୍ ପକାଇ ୩୫ ରୋଗୀଙ୍କ ଆଖିରେ ସଂକ୍ରମଣ, ଶ୍ରୀଲଙ୍କାର ଅଭିଯୋଗ ପରେ ଭାରତରେ ଯାଞ୍ଚ ଆରମ୍ଭ
ଶ୍ରୀଲଙ୍କାରେ ଭାରତୀୟ ଆଇ ଡ୍ରପ୍ ପକାଇ ୩୫ ରୋଗୀଙ୍କ ଆଖିରେ ସଂକ୍ରମଣ ଦେଖାଦେଇଛି, ଯାହା ପରେ ଭାରତରେ ନିର୍ମିତ ଔଷଧର ଯାଞ୍ଚ ଆରମ୍ଭ ହୋଇଛି। ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO) ସୂତ୍ରରୁ ଜଣାପଡ଼ିଛି ଯେ ଗୁଜରାଟର ଏକ ଫାର୍ମା କମ୍ପାନୀର ଔଷଧ ଯାଞ୍ଚ କରାଯାଉଛି।
ଅଭିଯୋଗ ଆସିଥିଲା କି, ମିଥାଇଲ୍ ପ୍ରେଡନିସୋଲୋନ୍ ଆଇ ଡ୍ରପ୍ ପକାଇବା ପରେ ରୋଗୀମାନଙ୍କଠାରେ ବ୍ୟାକ୍ଟେରିଆ ସଂକ୍ରମଣ ବଢ଼ିଛି। ଚଳିତ ବର୍ଷ ମାର୍ଚ୍ଚରେ କମ୍ପାନୀ ଆଇ ଡ୍ରପ୍ର ଦୁଇଟି ବଡ଼ ବ୍ୟାଚ୍ ଶ୍ରୀଲଙ୍କାକୁ ରପ୍ତାନି କରିଥିଲା। କିନ୍ତୁ ଏପ୍ରିଲ୍ ମାସରେ ସେଠାକାର ୩ ବଡ଼ ହସ୍ପିଟାଲରେ ପାଖାପାଖି ୩୦ ରୋଗୀ ଔଷଧ ନେବା ପରେ ଆଖି ସଂକ୍ରମଣର ଅଭିଯୋଗ କରିଥିଲେ।
ଏହାପରେ ଶ୍ରୀଲଙ୍କା ସରକାର କେବଳ ଔଷଧ ଉପରେ ତତ୍କାଳ ପ୍ରତିବନ୍ଧକ ଲଗାଇ ନାହାନ୍ତି, ବରଂ ଏହା ବିରୋଧରେ ତଦନ୍ତ ମଧ୍ୟ ଆରମ୍ଭ କରିଛନ୍ତି। ସେପଟେ କମ୍ପାନୀ ମଧ୍ୟ ନିଜ ଔଷଧଗୁଡ଼ିକୁ ଫେରାଇ ନେଇଛି। ମେ’ ୧୬ରେ ଶ୍ରୀଲଙ୍କା ସରକାର ଏକ ଚିଠି ଲେଖି ନିରପେକ୍ଷ ତଦନ୍ତ ପାଇଁ ଭାରତକୁ ନିବେଦନ କରିଥିଲେ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଶ୍ରୀଲଙ୍କାରୁ ଚିଠି ମିଳିବା ପରେ ତୁରନ୍ତ ଔଷଧ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କମ୍ପାନୀର ବର୍ତ୍ତମାନର ବ୍ୟାଚ୍କୁ ସିଲ୍ କରାଯାଇଛି। କେନ୍ଦ୍ରୀୟ ଲାବୋରେଟୋରୀକୁ ନମୁନା ପଠାଯାଇଛି, ଯେଉଁଠାରୁ ୧୦ରୁ ୧୫ ଦିନ ମଧ୍ୟରେ ରିପୋର୍ଟ ମିଳିବାର ସମ୍ଭାବନା ରହିଛି।