ଯୁକ୍ତ ୩ରେ ବଢ଼ିଲା ୧୨ ହଜାର ସିଟ୍‌

Spread the love

ଭୁବନେଶ୍ବର : ପ୍ରକାଶ ପାଇଛି ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ। ଆସନ୍ତା ୮ ତାରିଖ ସୁଦ୍ଧା କଳା ଓ ଧନ୍ଦାମୂଳକ ବିଭାଗ ଫଳ ପ୍ରକାଶ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା ହୋଇଥିବା ବେଳେ ଯୁକ୍ତ ୩ କଲେଜ ତଥା ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସଜବାଜ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ନଜରରେ ରଖି ଗତବର୍ଷ ତୁଳନାରେ ଏଥରକ ୧୨ ହଜାର ସିଟ୍‌ ବୃଦ୍ଧି କରାଯାଇଛି। ୨୦୨୨-୨୩ ଶିକ୍ଷାବର୍ଷରେ ୧୦୨୩ ଯୁକ୍ତ୩ କଲେଜର ୨ ଲକ୍ଷ ୫୫ ହଜାର ୯୧୬ ସିଟ୍‌ରେ ନାମଲେଖା ହୋଇଥିଲା। ୨୦୨୩-୨୪ ଶିକ୍ଷାବର୍ଷରେ ଆଉ ୧୩ଟି ନୂତନ କଲେଜକୁ ସାମିଲ କରାଯିବା ସହ ୧୨ହଜାର ୬୧୫ ସିଟ୍‌ରେ ନାମଲେଖା ଲାଗି ନିଷ୍ପତ୍ତି ହୋଇଛି।

ଉଚ୍ଚଶିକ୍ଷା ବିଭାଗ ତଥ୍ୟ ଅନୁଯାୟୀ, ଏଥରକ କଳା ବିଭାଗର ୧ ଲକ୍ଷ ୫୦ ହଜାର ୭୫୮ ସିଟ୍‌ରେ ନାମଲେଖା ହେବ। ସେହିପରି ଫିଜିକାଲ ସାଇନ୍ସରେ ୪୫ ହଜାର ୮୨୭, ବାୟୋଲୋଜିକାଲ ସାଇନ୍ସରେ ୨୮ହଜାର ୫୮୮, ବାଣିଜ୍ୟର ୩୨ହଜାର ୧୨୪, ସେଲ୍ଫ ଫାଇନାନ୍ସିଂର ୨,୦୮୬ ଓ ସଂସ୍କୃତରେ ୯,୧୪୮ ସିଟ୍‌ ରହିଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୩ହଜାର ୨୫୬ ସିଟ୍‌ରେ ନାମଲେଖା ହେବାକୁ ଥିବା ବେଳେ କଟକ ଜିଲ୍ଲାର ୨୧ ହଜାର ୧୯୪, ଖୋର୍ଦ୍ଧାର ୨୧ ହଜାର ୧୯୩, ବାଲେଶ୍ବରରେ ୧୫ ହଜାର ୮୮୮, ପୁରୀରେ ୧୫ ହଜାର ୬୦ ସିଟ୍‌ ରହିଛି। ଅଧିକାଂଶ ଜିଲ୍ଲାରେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ନାହିଁ। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକରେ ଥିବା କରୁଣା ଶାନ୍ତି ଯୁକ୍ତ ୩ ବିଜ୍ଞାନ(ଡିଗ୍ରି) ଆବାସିକ କଲେଜକୁ ବନ୍ଦ କରି ଦିଆଯାଇଛି।

ଯୁକ୍ତ୨ ଫଳ ପ୍ରକାଶ ପାଇଥିବାରୁ ଏବେ ସ୍ନାତକର ବିଭିନ୍ନ ବିଷୟର କଟ୍‌-ଅଫ୍‌ ମାର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କଟ୍‌-ଅଫ୍‌ ମାର୍କ ବଢ଼ିବ କି କମିବ, କେଉଁ କଲେଜରେ ନାମ ଲେଖାଇବେ, ତାହାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ। ୨୦୨୨ରେ କଳା ବିଭାଗ ସାଧାରଣ ବର୍ଗରେ ରେଭେନ୍ସା ବିଶ୍ବବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଷୟର କଟ୍‌ ଅଫ୍‌ ମାର୍କ ସର୍ବାଧିକ ୯୧.୨୦% ଥିବା ବେଳେ ଭୂଗୋଳରେ ୮୯.୮୩%, ଅର୍ଥନୀତିରେ ୮୯.୬୭%, ଇଂରାଜୀରେ ୮୯.୬୦%, ମନୋବିଜ୍ଞାନରେ ୮୮.୧୭%, ଇତିହାସରେ ୮୭.୮୩%, ଗଣିତରେ ୮୭.୮୩%, ସାମାଜିକ ବିଜ୍ଞାନରେ ୮୭%, ପରିସଂଖ୍ୟାନରେ ୮୫.୨୦%, ଶିକ୍ଷାରେ ୮୪.୬୭%, ଦର୍ଶନଶାସ୍ତ୍ରରେ ୮୨.୫୦% ଓ ସଂସ୍କୃତରେ ୮୦% ରହିଥିଲା। ଓଡ଼ିଆ ବିଷୟରେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ୮୬%, ହିନ୍ଦୀରେ ଏଫ୍‌ଏମ୍‌ ସ୍ବୟଂଶାସିତ ମହାବିଦ୍ୟାଳୟର ୮୫.୩୩%, ନୃତତ୍ତ୍ବ ବିଜ୍ଞାନରେ ବିଜେବିର ୮୨.୮୦%, ମ୍ୟୁଜିକ୍‌ ବିଷୟରେ ବିଜେବିର କଟ୍‌ ଅଫ୍‌ ମାର୍କ ୮୦.୧୭% ରହିଥିଲା।
ବିଜ୍ଞାନ ବିଭାଗ(ଫିଜିକାଲ ଓ ବାୟୋଲୋଜିକାଲ ସାଇନ୍ସ)ରେ ବିଜେବି ଆଗରେ ଥିଲା। ବିଜେବିର ଗଣିତରେ କଟ୍‌-ଅଫ୍‌ ମାର୍କ ୯୪.୨୦%, ରେଭେନ୍ସା ବିଶ୍ବବିଦ୍ୟାଳୟର ପଦାର୍ଥ ବିଜ୍ଞାନରେ ୯୪.୧୭%, ରସାୟନ ବିଜ୍ଞାନରେ ୯୩%, କମ୍ପ୍ୟୁଟର ସାଇନ୍ସରେ ୯୩%, ଭୂତତ୍ତ୍ବ ବିଜ୍ଞାନରେ ୯୨.୮୩%, ଅର୍ଥନୀତିରେ ୯୨.୮୦% ରହିଥିଲା। ବିଜେବିର ପ୍ରାଣୀ ବିଜ୍ଞାନରେ ୯୫.୪୦%, ଉଦ୍ଭିଦ ବିଜ୍ଞାନରେ ୯୩.୧୭%, ବାୟୋ-ଟେକ୍ନୋଲୋଜି ବିଷୟରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କଟ୍‌-ଅଫ୍‌ ମାର୍କ ୯୧.୨୦% ଥିଲା। ବାଣିଜ୍ୟ ବିଭାଗରେ ରେଭେନ୍ସା ବିଶ୍ବବିଦ୍ୟାଳୟର କଟ୍‌-ଅଫ୍‌ ମାର୍କ ସର୍ବାଧିକ ୮୯.୮୩% ହୋଇଥିଲା। ସଂସ୍କୃତ ବିଭାଗ ଧର୍ମଶାସ୍ତ୍ର ବିଷୟରେ ପୁରୀ ଜିଲ୍ଲା ସ୍ବର୍ଗଦ୍ବାର ରୋଡ୍‌ସ୍ଥିତ ଶ୍ରୀ ଜଗନ୍ନାଥ ବେଦ କର୍ମକାଣ୍ଡ ଡିଗ୍ରି କଲେଜର କଟ୍‌-ଅଫ୍‌ ମାର୍କ ସର୍ବାଧିକ ୭୦.୧୭%, ସେଲ୍ଫ ଫାଇନାନ୍ସିଂ ବିଭାଗରେ ବାୟୋ-ଟେକ୍ନୋଲୋଜି ବିଷୟରେ ବିଜେବିର କଟ୍‌-ଅଫ୍‌ ମାର୍କ ସର୍ବାଧିକ ୯୨.୨୦% ରହିଥିଲା।

Leave a Reply

Your email address will not be published. Required fields are marked *